ଚେନ୍ନାଇ: ସୋସିଆଲ ମିଡିଆରେ ବର୍ତ୍ତମାନ ତାମୁଲନାଡୁର ଏକ ସ୍କୁଲର ଫୁଟବଲ କୋଚଙ୍କ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ସ୍କୁଲର ଫୁଟବଲ ଟିମର ଖେଳାଳିଙ୍କ ଚୁଟି ଧରି ଚାପୁଡା ଓ ନାତ ମାରିବାର ଦେଖିବାକୁ ମିଳୁଛି । ମ୍ୟାଚ ହାରିବାକୁ ନେଇ କୋଚ ରାଗରେ ତମତମ ହୋଇ ଶାସ୍ତି ଦେଉଥିବା କୁହାଯାଉଛି ।
ଭିଡିଓରେ ଦେଖିବାକୁ ମିଳୁଛି କି ଛାତ୍ରମାନେ ପଡିଆରେ ବସିଥିବା ବେଳେ କୋଚ ଜଣଜଣକୁ ଯାବତୀୟ ଗାଳିମନ୍ଦ ଦେବା ସହ ମାଡ ମାରୁଛନ୍ତି । କେତେବେଳେ ପିଲାଙ୍କୁ ଚାପୁଡା ମାରୁଛନ୍ତି ତ ପୁଣି କେତେବେଳେ ଚୁଟି ଝିଙ୍କି ବୁଲାଉଛନ୍ତି । ଆଉ ନିକଟରେ ଥିବା ଲୋକେ ବିନା ପ୍ରତିବାଦରେ ସେହି ଦୃଶ୍ୟ ଦେଖୁଛନ୍ତି । ଖାଲି ସେତିକି ନୁହେଁ, ଭିଡିଓରେ ଆହୁରି ଦେଖିବାକୁ ମିଳୁଛି କି, କୋଚ ଗୋଲ କିପରଙ୍କୁ ପଚାରୁଛନ୍ତି, କଣ ତୁମେ ମହିଳା? କେମିତି ତାକୁ ସ୍କୋର କରିବାକୁ ଦେଲ? ଆଉ ଜଣଙ୍କୁ ଗାଳିକରି ପଚାରୁଛନ୍ତି,ତମେ କେମିତି ବଲକୁ ଯିବାକୁ ଦେଲ? ଆଉ ଜଣଙ୍କୁ ମାଡମାରି ପଚାରୁଛନ୍ତି, ତୁମେ କାହିଁକି କୌଣସି କମ୍ୟୁନିକେସନ କଲନି?
ଏହି ଘଟଣା ଘଟିଛି ତାମିଲନାଡୁର ସଲେମ ଜିଲ୍ଲାର ମେଟ୍ଟୁର ନିକଟବର୍ତ୍ତୀ ଏକ ସରକାରୀ ସ୍କୁଲର । ଏହି ଭାଇରାଲ ଭିଡିଓକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳୁଛି । କୋଚଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏମିତି କି ସୋସିଆଲ ମିଡିଆର ୟୁଜର ଦାବି କରୁଛନ୍ତି କି, ଏପରି କୋଚକୁ ଜେଲରେ ରହିବାକଥା ।
ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ତୀବ୍ର ପ୍ରତିକ୍ରିୟାକୁ ଦେଖି ସ୍କୁଲ ପ୍ରଶାସନ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରି ଦେଇଥିବା ସୂଚନା ମିଳୁଛି ।