(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନରେ ଆଗଧାଡିର କୋରୋନା ଯୋଦ୍ଧା ପାଲଟିଛନ୍ତି ପୋଲିସ ଅଧିକାରୀ । ଲୋକଙ୍କ ସୁରକ୍ଷା ପାଇଁ ଦିନ ରାତି ଏକ କରିଛନ୍ତି ଏହି ଆଗଧାଡିର ଯୋଦ୍ଧା । ହେଲେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସର କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ସାଇବର ଠକାମୀର ଶିକାର ହୋଇଛନ୍ତି । ନିଜ ଫେସବୁକୁ ଏକାଉଣ୍ଟଙ୍କୁ ଦୁର୍ବୁତମାନେ ହ୍ୟାକ କରିଦେଇଛନ୍ତି । ଆଉ ତାଙ୍କ ଏକାଉଣ୍ଟ ବ୍ୟବହାର କରି ସାଙ୍ଗ ସାଥୀଙ୍କୁ ଟଙ୍କା ମଗାଯାଉଛି । ଯେଉଁ ସାଙ୍ଗ ସାଥୀମାନେ ଟଙ୍କା ଦେବାକୁ ରାଜି ହେଉଛନ୍ତି ସେମାନଙ୍କୁ ଗୁଗୁଲ ପେ ଓ ଫୋନ ପେ ନମ୍ବର ପଠାଯାଉଛି । ତେବେ ଏଭଳି ଏକ ଘଟଣା ଖୋଦ ପୋଲିସ ଅଧିକାରୀ ଜଣଙ୍କ ଜାଣିବା ପରେ ମୁଣ୍ଡରେ ହାତ ଦେଇଛନ୍ତି । ସୂଚନାମୁତାବକ, କମିଶନରେଟ ପୋଲିସର ଜଣେ ବରିଷ୍ଠ ପୋଲିସ ଅଧିକାରୀ ତଥା ଜୋନ-(୪) ଏସିପି ରବିନ୍ଦ୍ର ଶତପଥୀଙ୍କ ଏକାଉଣ୍ଟ ଦୁର୍ବୁତମାନେ ହ୍ୟାକ କରିନେଇଛନ୍ତି । ଆଉ ତାଙ୍କ ଏକାଉଣ୍ଟର ମେସେଞ୍ଜରକୁ ବ୍ୟବହାର କରି ସାଙ୍ଗ ସାଥୀଙ୍କୁ ଟଙ୍କା ମାଗିଛନ୍ତି । ଯେଉଁ ସାଙ୍ଗ ସାଥୀମାନେ ଟଙ୍କା ଦେବାକୁ ରାଜି ହୋଇଛନ୍ତି ସେମାନଙ୍କୁ ଗୁଗୁଲ ପେ ଓ ଫୋନ ପେ ନମ୍ବର ମଧ୍ୟ ପଠାଇଛନ୍ତି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ସେ ଫେସବୁକ ଚଲାନ୍ତି ହେଲେ ମେସେଞ୍ଜର ବ୍ୟବହାର କରନ୍ତି ନାହିଁ । ତାଙ୍କ ଫେସବୁକ ଏକାଉଣ୍ଟକୁ କେହି ଦୁର୍ବୁତ ହ୍ୟାକ କରି ହିନ୍ଦି ଭାଷାରେ ତାଙ୍କ ଫେସବୁକ ବନ୍ଧୁମାନଙ୍କୁ ଟଙ୍କା ମାଗୁଥିବା ସେ ଜାଣିବାକୁ ପାଇଛନ୍ତି । ଏ ନେଇ ସେ ଅପରାଧୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।