( ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ବିଶାଖାପଟ୍ଟନମରୁ ନୂଆଦିଲ୍ଲୀ ଯାଉଥିବା ଗାଡ଼ି ସଂଖ୍ୟା ୨୨୪୧୫ ସୁପରଫାଷ୍ଟ ଏସି ଏପି ଏକ୍ସପ୍ରେସ୍ରେ ଜଣେ ଯୁବତୀ ଭୋପାଲରୁ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ। ଟ୍ରେନ୍ର ୩ଏସି କୋଚରେ ୫ରୁ ୬ଜଣ ଯାତ୍ରୀ ମଦ ନିଶାରେ ଯୁବତୀଙ୍କ ସହିତ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଯୁବତୀଙ୍କ ଭାଇ ରେଳମନ୍ତ୍ରୀଙ୍କୁ ଟୁଇଟ କରି ଭଉଣୀର ସାହାଯ୍ୟ ପାଇଁ ଗୁହାରି କରିଥିଲେ। ଏହାପରେ ଜିଆରପି ପୁଲିସ କିଛି ସମୟ ଭିତରେ ଅଭିଯୁକ୍ତକୁ କାବୁ କରି ନେଇଥିଲେ। ଯୁବତୀଙ୍କ ଭାଇ ରେଳମନ୍ତ୍ରୀଙ୍କୁ ଗୁହାରି କରି କହିଥିଲେ, ‘ସାର୍ ଆପଣଙ୍କ ସାହାଯ୍ୟର ଆବଶ୍ୟକ ରହିଛି। ମୋର ଭଉଣୀ ଟ୍ରେନ୍ ନମ୍ବର ୨୨୪୧୫ରେ ଯାତ୍ରା କରୁଛି। ତାର ବର୍ଥରେ ଛଅଜଣ ଲୋକ ମଦ୍ୟପାନ କରି ଭଉଣୀ ସହିତ ଅସଦାଚରଣ କରୁଛନ୍ତି।’ ସେ ଏଥିସହିତ ପିଏନ୍ଆର ନମ୍ବର ବି ସେୟାର କରିଥିଲେ। ଏହାପରେ ଟୁଇଟର ଜବାବ ଦେଇ ଏସପି ଜିଆରପି ଆଗ୍ରା କହିଥିଲେ, ଆପଣ ନିଶ୍ଚିନ୍ତ ରହନ୍ତୁ, ଆପଣଙ୍କ ସାହାଯ୍ୟ ପାଇଁ ନିରୀକ୍ଷଣ ଜିଆରପି ଆଗ୍ରା କେଣ୍ଟ ୯୪୫୪୪୦୪୪୧୮କୁ ନିର୍ଦ୍ଦେଶ କରି ଦିଆଯାଇଛି। ସେମାନେ ଆପଣଙ୍କ ଭଉଣୀଙ୍କ ସାହାଯ୍ୟ ପାଇଁ ନିଶ୍ଚିୟ ପହଞ୍ଚି ଯିବେ।