ଭୁବନେଶ୍ୱର: କରୋନାର ତୃତୀୟ ଲହରରେ ଶିଶୁ ଅଧିକ ପ୍ରଭାବିତ ହେବା ନେଇ ନାନା ଆଶା ଆଶଙ୍କା ମଧ୍ୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ମହାପାତ୍ର କହିଛନ୍ତି, ଗର୍ଭାବସ୍ଥାରେ ମା ସଂକ୍ରମିତ ହେଲେ ଛୁଆ ସଂକ୍ରମିତ ହେବା ଜରୁରୀ ନୁହେଁ । । ଗର୍ଭାବସ୍ଥାରେ ମା’ଠାରୁ ଛୁଆ ସଂକ୍ରମିତ ହେବ ନାହିଁ । ତେବେ ପ୍ରସବ ସମୟରେ ସତର୍କ ରହିବାକୁ ହେବ ।
ଡାକ୍ତର ମହାପାତ୍ର ଆହୁରି କହିଛନ୍ତି, ୨ ବର୍ଷରୁ କମ୍ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧାଇବା ଆବଶ୍ୟକ ନାହିଁ । ୨ରୁ ୫ ବର୍ଷ ପର୍ୟ୍ୟନ୍ତ ଶିଶୁ ମାସ୍କ ପିନ୍ଧି ପାରୁଥିଲେ ଠିକଅଛି । ଜବରଦସ୍ତି ପିନ୍ଧାନ୍ତୁ ନାହିଁ । ଶିଶୁର ଶ୍ୱାସକ୍ରିୟା ଦେଖି ହସ୍ପିଟାଲରେ ଭର୍ତ୍ତି କରିପାରିବେ ଅଭିଭାବକ । ୨ ମାସରୁ କମ୍ ପିଲା ମିନିଟକୁ ୬୦ରୁ ଅଧିକ ନିଶ୍ୱାସ ନେଲେ ବିପଦ । ୨ମାସରୁ ୧ ବର୍ଷ ୫୦ରୁ ଅଧିକ, ୧ରୁ ୫ ବର୍ଷ ପିଲା ୪୦ରୁ ଅଧିକ ନିଶ୍ୱାସ ନେଲେ ବିପଦ ବୋଲି କହିଛନ୍ତି ଡାକ୍ତର ମହାପାତ୍ର । ସେହିଭଳି ୫ ବର୍ଷରୁ ଅଧିକ ବୟସର ପିଲା ମିନିଟକୁ ୩୦ରୁ ଅଧିକ ନିଶ୍ୱାସ ନେଉଥିଲେ ମଧ୍ୟ ବିପଦ । ନିଶ୍ୱାସ ନେବା ବେଳେ କୁନ୍ଥେଇଲେ କିମ୍ବା ନିସ୍ତେଜ ହେଲେ ଏହା ଏକ ବିପଦ ସଙ୍କେତ ବୋଲି ବୁଝିବାକୁ ହେବ । ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଶିଶୁଙ୍କ ଜ୍ୱର, କାଶ, ଥଣ୍ଡା ଓ ନାକରୁ ପାଣି ବୋହିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ । କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିବା ଉଚିତ୍ । ଲକ୍ଷଣ ନଥିବା ଆକ୍ରାନ୍ତ ଶିଶୁକୁ କିଛି ଔଷଧ ଦେବା ଆବଶ୍ୟକ ନାହିଁ । ସ୍ୱଳ୍ପ ଲକ୍ଷଣ ଯୁକ୍ତଙ୍କୁ ପାରାସିଟାମଲ ଓ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ଭର୍ତ୍ତି କରିବା ଜରୁରୀ ବୋଲି ଡାକ୍ତର ବିଶ୍ୱାଳ ପରାମର୍ଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସେ କହିଛନ୍ତି ଯେ, ଶିଶୁମାନଙ୍କ ଫୁସଫୁସ ଅପେକ୍ଷାକୃତ ସୁସ୍ଥ ଥିବାରୁ ଗୁରୁତର ସମ୍ଭାବନା କମ୍ ରହିଛି । ଶିଶୁମାନଙ୍କ ବହୁବିଧ ରୋଗ ପ୍ରାୟତଃ ନଥିବାରୁ ଗୁରୁତର ହୁଅନ୍ତି ନାହିଁ । ଘରର ବଡ଼ ଲୋକମାନଙ୍କ ପାଇଁ ଶିଶୁମାନେ ସଂକ୍ରମିତ ହୋଇଥାନ୍ତି । ବଡ଼ ଲୋକ ଘରକୁ ଫେରିଲେ ସାନିଟାଇଜ୍ ହୋଇ ପିଲାଙ୍କ ପାଖକୁ ଯାଆନ୍ତୁ ବୋଲି ସେ କହିଛନ୍ତି ।