କାଳ ହେଲା ଯୋତୁକ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଢେଙ୍କାନାଳ ଜିଲା ଭୁବନ ଥାନା ମାଳପୁରା ଗ୍ରାମରବୀରବର ବିଶ୍ୱାଳଙ୍କ ଝିଅଙ୍କୁ ବନୀତା( ୨୫)ଙ୍କୁ ୨୦୧୪ରେ ଉକ୍ତ ଗ୍ରାମର କେଦାରନାଥ ହାତୀଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଯୌତୁକ ବାବଦକୁ ବୀରବର ନଗଦ ୧ଲକ୍ଷ ଟଙ୍କା, ୭୬ ହଜାର ଟଙ୍କାର ଏକ ମୋଟରସାଇକେଲ ଓ ସୁନାଗହଣା ଦେଇଥିଲେ। ବିବାହ ପରେ ଶାଶୁଘର ଲୋକେ ତାଙ୍କୁ ବାରମ୍ବାର ମାଡ଼ ମାରିବା ସହିତ ବାପଘରୁ ଆଉ ୨ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଦାବି କରିଆସୁଥିଲେ। ମଙ୍ଗଳବାର ଏପରି କିଛି ଘଟଣା ଘଟିଥିବା ଜାଣି ପରିବାର ଲୋକେ ଝିଅ ଶାଶୁଘରକୁ ଯାଇ ବୁଝାଶୁଝା କରି ଫେରିଥିଲେ । ହଠାତ୍ ସେହିଦିନ ଝିଅ ମୃତ୍ୟୁ ଖବର ପରିବାର ଲୋକେ ଜାଣିବାକୁ ପାଇଥିଲେ। ତେବେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଝିଅର ମୃତଦେହ ପଡିରହିଥିବା ବେଳେ ଶାଶୁଘର ଲୋକେ କେହି ଉପସ୍ଥିତ ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ଝିଅଘର ପକ୍ଷରୁ ସୁରପ୍ରତାପପୁର ଫାଣ୍ଡିକୁ ଖବର ଦିଆଯାଇଥିଲା। ଏଥିରେ ବନୀତାଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର ଓ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ଖବର ପାଇ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ଘଟଣାସ୍ଥଳରେ ପହଞ୍ଚିି ଭୁବନ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କୁ ଜଣାଇଥିଲେ । ପରେ ଥାନା ଅଧିକାରୀ ଓ ଏସ୍ଆଇ ପଙ୍କଜ ମାଝି ପହଞ୍ଚି ତଦନ୍ତ କରି ଭୁବନ ଅତିରିକ୍ତ ତହସିଲଦାର କଳ୍ପନା ତପସ୍ବିନୀ ନାଏକଙ୍କୁ ଜଣାଇଥିଲେ । ଏ ନେଇ ଭୁବନ ଥାନାରେ କେସ୍ ନଂ. ୫୮/୧୯ରେ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମାମଲା ରୁଜୁ ପରେ ପୋଲିସ ତଦନ୍ତ ଜାରି ରଖିଛି ।