(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା କାର୍ୟ୍ୟକ୍ରମ ‘ଜାତୀୟ ପେନସନ ସିଷ୍ଟମ’(ଏନ୍ପିଏସ୍) ଅଧୀନରେ ସାମିଲ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସର୍ବନିମ୍ନ ସୁନିଶ୍ଚିତ ରିଟର୍ନ ପ୍ରଦାନ ଲାଗି ବ୍ୟବସ୍ଥା କରାଯାଉଛି। ଏନେଇ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ(ପିଏଫ୍ଆର୍ଡିଏ) ବିଚାର କରୁଛି। ଅବସର ଲାଗି ଯୋଗଦାନ ଭିତ୍ତିରେ ସଞ୍ଚୟ କରିବାର ଅଭ୍ୟାସ ସୃଷ୍ଟି ଲାଗି ସରକାରଙ୍କ ପକ୍ଷରୁ ଏହି ଏନ୍ପିଏସ୍ ଯୋଜନା ଲାଗୁ କରାଯାଇଛି। ଜାନୁୟାରୀ ଶେଷ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୨.୯୧ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ପରିଚାଳନା କରାଯାଉଛି ଏବଂ ଏଥିରେ ୧.୨୧ କୋଟି ଗ୍ରାହକ ନିଜକୁ ଯୋଡିଛନ୍ତି। ପିଏଫ୍ଆର୍ଡିଏ ସର୍ବନିମ୍ନ ରିଟର୍ନ ଗ୍ୟାରେଣ୍ଟି ଯୋଜନା ବିକଶିତ କରିବା ତଥା ଏହାର ଡିଜାଇନ ପ୍ରସ୍ତୁତ କରିବା ଉପରେ କାମ କରୁଛି। ଏନ୍ପିଏସ୍ରେ ରିଟର୍ନ ରାଶି କେତେ ହେବା ଆବଶ୍ୟକ ସେ ଦିଗରେ ପରାମର୍ଶ ଦେବାକୁ ନିୟାମକଙ୍କ ପକ୍ଷରୁ ସମସ୍ତ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣତଃ ଏନ୍ପିଏସରେ ସାମିଲ ହେଉଥିବା କର୍ମଚାରୀଙ୍କୁ ଅବସର ଅଥବା ୬୦ ବର୍ଷ ପର୍ୟ୍ୟନ୍ତ ଏହି ସ୍କିମ୍ରେ ନିବେଶ କରିବାକୁ ପଡିଥାଏ। ସେହିଭଳି ଏହି ସ୍କିମ୍ରୁ ବାହାରିବାକୁ ଚାହିଁଲେ ତାଙ୍କୁ ଜମା ଅର୍ଥର ୬୦% କାଢ଼ିବାକୁ ସୁଯୋଗ ଦିଆଯାଇଥାଏ। ଅବଶିଷ୍ଟ ୪୦% ଅର୍ଥକୁ ତାଙ୍କୁ କୌଣସି ଆନୁୟିଟି ସେବା ପ୍ରଦାନକାରୀଙ୍କ ଠାରୁ ଆନୁୟିଟି କିଣିବାକୁ ପଡେ। ସେବା ପ୍ରଦାନକାରୀ ତାଙ୍କୁ ଶେଷରେ ପେନସନ ଦେବ।