ଚାନ୍ଦା ନଦେବାରୁ ହାଣିଦେଲେ ଟ୍ରକ୍ ଚାଳକଙ୍କ ହାତ

(ଅନୁଗୁଳ  / ଜ୍ୟୋତିରଞ୍ଜନ ଧର) :  ମାତ୍ର ହଜାରେ ଟଙ୍କା ପାଇଁ  ହାଣି ଦେଲେ ହାତ  । ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ ଜଣେ ଟ୍ରକ ଚାଳକଙ୍କ ହାତକୁ ହାଣି ପାପୁଲି କୁ ଅଲଗା କରି ଦେଇଛନ୍ତି । ଘଟଣାସ୍ଥଳ ରୁ ପୁଲିସ ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରି କଟକ ସ୍ଥାନାନ୍ତର କରିଛି । ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାବେଳେ ପୁଲିସ ଦୁର୍ବୃତ ମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ  ଚଳାଇଛି ।ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ଶିଳ୍ପ ସମୃଦ୍ଧି ଏନଟିପିସି ଥାନା ଅଞ୍ଚଳରେ ।ଦିନକୁ ଦିନ ପୁଲିସକୁ ଖାତିର ନକରି ଅପରାଧି ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଘଟଣା । ଘଟଣା କୁ ଦୀର୍ଘ ୨୪ ଘଣ୍ଟା ବିତିଲାଣି ହେଲେ ପୁଲିସ ଅପରାଧୀଙ୍କ ଥଳକୂଳ ପାଉନଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ତାଳଚେର ଉପଖଣ୍ଡ ଅନ୍ତର୍ଗତ ଗୋତିବନ୍ଧ-କଣିହାଁ  ୫୩ ନମ୍ବର ଜାତୀୟ ରାଜପଥରେ ନିତି ରାତିରେ ଶହ ଶହ କୋଇଲା ଟ୍ରକ ବ୍ଲକର ଡେରେଙ୍ଗ ଜେଆଇଟିପିଏଲ ବିଦ୍ୟୁତ କମ୍ପାନୀକୁ ଚଳାଚଳ କରିଥାଏ । ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୨ ଟା ସମୟରେ ଏକ କୋଇଲା ଟ୍ରକ୍ ଏନଟିପିସି ଟାଉନ ଥାନା ଅଧୀନ କାଣ୍ଡଶର ନିକଟ ଜାତୀୟ ରାଜ ପଥ ରାଜାଜତରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ସବୁ ଗାଡି ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ । ତେବେ ଏହି ଟ୍ରକ ଟି କଣ ପାଇଁ ଛିଡ଼ା ହୋଇଛି ତାର କାରଣ ଜାଣିବାକୁ କମ୍ପାନୀ ଲାଇଜିଙ୍ଗ ଷ୍ଟାଫ ସେଠାରେ ପହଁଚି  ଥିଲେ । ଏହାପରେ ଚାଳକ ଜଣଙ୍କର ହାତରୁ ପାପୁଲି ଅଲଗା ହେବାର ଜାଣିବାକୁ ପାଇଥିଲେ । ରାତିରେ ପେଟ୍ରୋଲିଙ୍ଗ ସମୟରେ ନିୟୋଜିତ ୨ ହୋମଗାର୍ଡ ଘଟଣାସ୍ଥଳକୁ ପହଁଚିବା ପରେ  ଗୁରୁତର ଚାଳକ ମୁନା ସାହୁ (୪୦) ଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି କଣିହାଁ ଡ଼ାକ୍ତରଖାନା ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଗୁରୁତର ଆହାତ ଚାଳକଙ୍କର  କହିବା ଅନୁଯାୟୀ ୩ ଜଣ ଦୁର୍ବୃତ ବାଇକରେ ଆସି ତାଙ୍କୁ ହଜାରେ ଟଙ୍କା ଚାନ୍ଦା ବଟି ମାଗିଥିଲେ। ତେବେ ତାଙ୍କ ପାଖରେ ୫୦୦ ଟଙ୍କା ଅଛି ନିଅ ବୋଲି କହିବା ପରେ ସେମାନେ ଚାଳକ ମୁନାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଭୁଜାଲିରେ ମୁନାର ମଥାକୁ ଏକ ଚୋଟ ଏବଂ ହାତରୁ ପାପୁଲିକୁ ହାଣି ଅଲଗା କରି ଦେଇଥିଲେ। ପୁଲିସ ପାଖରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଗାଡ଼ି ମାଲିକ ଘଟଣା ସମ୍ପର୍କରେ ପୁଲିସ କୁ ଫୋନ ଜରିଆରେ ଜଣାଇଥିବା ପ୍ରକାଶ । ଚାଳକ ମୁନାର ଘର ବନରପାଳ ଥାନା ଇଲାକା ତୁବେ ଗ୍ରାମରେ ହୋଇଥିବା ବେଳେ ଗାଡି ମାଲିକଙ୍କ ଘର ତାଳଚେର ଡେରା ଅଞ୍ଚଳରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।