(ପ୍ରଶାନ୍ତ କୁମାର ସ୍ୱାଇଁ/ପାରାଦ୍ୱୀପ): ପାରାଦ୍ୱୀପ କାଉଡିଆ ନଦୀରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଛୋଟ ବଡ ମାଛ ମରି ଭାସୁଛନ୍ତି । ଦୁଇମାସ ମଧ୍ୟରେ ଦ୍ଵିତୀୟ ଥର ପାଇଁ ଏଠାରେ ମାଛ ମଡକ ଦେଖିବାକୁ ମିଳିଛି। ବହୁ ପରିମାଣର ମଲା ମାଛକୁ ସ୍ଥାନୀୟ ଲୋକମାନେ ବୋହି ନେଉଥିବା ବେଳେ କିଛି ଲୋକ ଏହାକୁ ଗୋଟାଇ ବିକ୍ରି କରୁଛନ୍ତି । ଦୂଷିତ ନଦୀ ପାଣି କିମ୍ବା ସାର କାରଖାନାରୁ ନିର୍ଗତ ଏସିଡ୍ ଯୁକ୍ତ ପାଣି ଯୋଗୁଁ ଏଭଳି ମାଛ ମଡକ ଦେଖା ଦେଇଥିବା ଆଶଙ୍କା କରାଯାଉଛି । ଷଣ୍ଢକୁଦ ବସ୍ତି ନିକଟରୁ ଦୀର୍ଘ ୭ କିଲୋମିଟର ଦେଇ ମହାନଦୀ ମୁହାଣରେ ମିଶିଥିବା ଏହି କାଉଡିଆ ନଦୀ ସାରା ମଲା ମାଛ ଭାସୁଛନ୍ତି । ଖଅଙ୍ଗା, ପୋଟେଇ, ବୋରେହି, କାଆଁନ୍ଦା, ଜଗର, ଚିଙ୍ଗୁଡ଼ି, କଙ୍କଡ଼ା, କୋଚିଆ, ବଡ ବଡ ଭେକ୍ଟି ମାଛ ମଧ୍ୟ ମରି ଭାସୁଥିବା ଦେଖିବାକୁ ମିଳିଛି। ତେବେ ଏହି ମାଛ ମଡକର କାରଣ ଏଠାକାର କମ୍ପାନୀରୁ ନିର୍ଗତ ଏସିଡ ଯୁକ୍ତ ପାଣି ଓ ବର୍ଜ୍ୟବସ୍ତୁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାଉଡିଆ ନଦୀ କୂଳରେ ଇଫକୋ ସାର କାରଖାନା, ପିପିଏଲ ସାର କାରଖାନା ସହ ଆଇଓସିଏଲ ରହିଛି। ଗତ ଦୁଇଦିନ ଧରି ପାରାଦ୍ୱୀପ ବନ୍ଦରାଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ବର୍ଷାର ସୁଯୋଗ ନେଇ କମ୍ପାନୀମାନେ ସେମାନଙ୍କ ବର୍ଜ୍ୟବସ୍ତୁ ନଦୀକୁ ଛାଡି ଦେଉଥିବା ଅଭିଯୋଗ ହେଉଛି। ମାତ୍ର ଏବେ ବି ଏହାର ସଠିକ କାରଣ ଜଣାପଡି ନାହିଁ। ସେହିପରି ପ୍ରଦୂଷଣ ବୋର୍ଡ଼ ପକ୍ଷରୁ ନଦୀର ପାଣି ସଂଗ୍ରହ କରାଯାଇଛି। ପାଣିରେ ଅକ୍ସିଜେନ କମ୍ ଯୋଗୁଁ ମାଛମାନେ ମରି ପାଣିରେ ଭାସୁଥାଇ ପାରନ୍ତି ବୋଲି ପାରାଦ୍ୱୀପ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି । ଗୋଟିଏ ପଟେ କାଉଡିଆ ନଦୀରେ ମାଛ ମରି ଭାସୁଥିବା ବେଳେ ଏହି ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ପରିବେଶବିତ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।