ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଯମୁନା, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଉଛୁଳିଛି ଯମୁନା । ରାଜଧାନୀ ବାସୀଙ୍କୁ ଡରାଉଛି ନଦୀ । ବର୍ତ୍ତମାନ ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟାନକ ରହିଛି । ଗଙ୍ଗା ନଦୀ ପରେ ଏବେ ଯମୁନା ନଦୀ ମଧ୍ୟ ନିଜର ଭୟଙ୍କର ରୂପ ଦେଖାଉଛି । କ୍ରମାଗତ ବର୍ଷା ଏବଂ ଉପରମୁଣ୍ଡରୁ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ବଡ଼ ସଙ୍କଟ ସୃଷ୍ଟି କରିଛି ।

ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ହରିୟାଣାର ହାଥିନିକୁଣ୍ଡ ବ୍ୟାରେଜରୁ ୧.୬୩ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ାଯିବାରୁ ଯମୁନାର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯମୁନା ବଜାର, ବାସୁଦେବ ଘାଟ, ବୁରାରୀ ଏବଂ କଶ୍ମୀର ଗେଟ୍ ଭଳି ଅଞ୍ଚଳରେ ପାଣି ରାସ୍ତା ଏବଂ କଲୋନୀରେ ପ୍ରବେଶ କରିଛି । ଲୁହା ପୋଲକୁ ବନ୍ଦ କରିଦିଆଯାଇଛି, ଏବଂ ପ୍ରଶାସନ ୨୫-୩୦ ଡଙ୍ଗା ଏବଂ ବୁଡ଼ାଳିମାନଙ୍କୁ ନିୟୋଜିତ କରିଛି । ହସ୍ତସାଲ ଏବଂ ଜନକପୁରୀ ଭଳି ଅଞ୍ଚଳରେ ରାସ୍ତା ସମୁଦ୍ରରେ ପରିଣତ ହୋଇଛି, ଏବଂ ବର୍ଷା ଯୋଗୁଁ ରାସ୍ତା ଭାଙ୍ଗିଯିବା ଯୋଗୁଁ ଜନକପୁରୀରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ।

ଗତକାଲି ରାତିରେ ଯମୁନାର ଜଳସ୍ତର ୨୦୮.୩୬ ମିଟରରେ ପହଞ୍ଚିଥିଲା, ଯାହା ଐତିହାସିକ ସର୍ବକାଳୀନ ସର୍ବାଧିକ ୨୦୮.୬୬ ମିଟର ଠାରୁ ମାତ୍ର ୦.୩୦ ମିଟର କମ୍ ଥିଲା । ଯାହା ଶେଷଥର ପାଇଁ ୧୩ ଜୁଲାଇ ୨୦୨୩ ରେ ରେକର୍ଡ ହୋଇଥିଲା ।  ଫଳସ୍ୱରୂପ, ଦିଲ୍ଲୀର ଅନେକ ନିମ୍ନ ଭୂଭାଗରେ ବନ୍ୟା ଜଳ ପ୍ରବେଶ କରିଛି। ଲାଲକିଲ୍ଲା, ରିଂ ରୋଡ୍, ରାଜଘାଟ, ଆଇଏସବିଟି ଏବଂ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ନିକଟସ୍ଥ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। କେତେକ ସ୍ଥାନରେ ରାସ୍ତା ଉପରେ ୪-୫ ଫୁଟ ପାଣି ଜମି ରହିଛି, ଯାହା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।