ଧଳାଜହରକୁ ଚିନି ପୁଡିଆ ନାଁରେ ଯୁବବର୍ଗଙ୍କୁ ବାଣ୍ଟୁଥିଲେ, ବାଣ୍ଟିବା ବେଳେ ଧରାପଡିଲେ 2 ଧଳାଜହର ବ୍ୟବସାୟୀ । ଗ୍ରାହକ ବେଶରେ ଗଲେ, ଚିନି ପୁଡିଆ କିଣିଲେ ଆଉ ସେତିକିବେଳେ 2 ଜଣଙ୍କୁ ଧରିଲେ । ସେମାନଙ୍କ ଠାରୁ 20 ଲକ୍ଷ ଟଙ୍କାର ଧଳାଜହର ଜବତ କରିବା ସହିତ ଗୋଟିଏ ବାଇକ୍ ଜବତ କରିଛି ଟାଙ୍ଗୀ ଅବକାରୀ ବିଭାଗ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅବକାରୀ ଥାନା ଅଧିନସ୍ଥ ତଥା ଜଙ୍କିଆ ଥାନା ଅଞ୍ଚଳର ସରପାରୀ–ଛଣଗିରି ଗାଁର ଖେଳ ପଡିଆରୁ ଏହି ଧରପଗଡ ହୋଇଛି ।
ପୁରୀ ଜିଲ୍ଲାର ଗଡିଶାଗଦା ଥାନା ଅଧିନସ୍ଥ ତେଲେଙ୍ଗାପଡା ଗାଁର ରବୀନ୍ଦ୍ର କୁମାର ପ୍ରଧାନ ଓ ବ୍ରହ୍ମଗିରି ଥାନା ଅଧିନସ୍ଥ ଦାମୋଦରପୁର ଗାଁର ସୂର୍ଯ୍ୟକାନ୍ତ ମହାପାତ୍ର ଦୁହେଁ ଧଳାଜହର ବ୍ୟବସାୟ କରୁଥିଲେ । ଏ ଦୁହେଁ ଧଳାଜହରକୁ ଛୋଟ ଛୋଟ ପୁଡିଆ କରି ତାହାକୁ ଚିନି ପୁଡିଆର ଆଖ୍ୟା ଦେଇ ଯୁବବର୍ଗଙ୍କୁ ବିକ୍ରି କରୁଥିବା ଟାଙ୍ଗୀ ଅବକାରୀ ବିଭାଗ ଜାଣିବା ପରେ ଟାଙ୍ଗୀ ଅବକାରୀ ଥାନା ନିରୀକ୍ଷକ ଅଜିତ କୁମାର ପାତ୍ର ଓ ଟାଙ୍ଗୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ନିଜର ବେଶ ବଦଳାଇ ଗ୍ରାହକ ବେଶରେ ସେଠାରେ ପହଞ୍ଚି ଚିନି ପୁଡିଆ କିଣିଲେ, ଆଉ ସେତିକିବେଳେ 2 ଧଳାଜହର ବେପାରୀଙ୍କୁ ଧରପଗଡ କରିଥିଲେ । ଜବତ ଧଳାଜହରର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅଭିଯୁକ୍ତ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।