କୁଆଡେ ଗଲେ ସୌରିନ୍ ଭଟ୍ଟ ? କୋଲକାତାରୁ ଖାଲି ହାତରେ ଫେରିଲା କମିଶନରେଟ୍ ପୁଲିସ

କଟକ : କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ତଦନ୍ତ ପାଇଁ କୋଲକାତା ଯାଇଛି କମିଶନରେଟ୍ ପୋଲିସ । ଏବଂ କୋଲକାତାରେ ଥିବା ତାଙ୍କ ବାସଭବନରେ ମହିଳାଥାନା ପୋଲିସ ଚଢ଼ାଉ ମଧ୍ୟ କରିଥିଲା । କିନ୍ତୁ ବିଡମ୍ବନାର ବିଷୟ କି ସୌରୀନ ଭଟ୍ଟ ସେଠାରୁ ଫେରାର ହୋଇଯାଛନ୍ତି । ପିଡୀତାଙ୍କ ଅଭିଯୋଗକୁ ଭିତି କରି ବୁଧବାର ରାତିରେ ସୌରୀନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ କରିଥିଲା ପୋଲିସ । କିନ୍ତୁ ସେଠାରୁ କେଉଁଆଡେ ଫେରାର ହୋଇଯାଇଛନ୍ତି ସୌରିନ । ପ୍ରଥମେ ତାଙ୍କ ଫୋନ ସୁଇଚ୍‌ ଅଫ ଆଉ ଏବେ ସେ ଫେରାର ଥିବାରୁ ତାଙ୍କର କୌଣସି ସନ୍ଧାନ ମିଳିପାରିନାହିଁ |

ସୂଚନା ଅନୁସାରେ, କଟକ ଜଗତପୁରର ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ଦୀର୍ଘ ୮ ବର୍ଷ କାଳ କଟକ ଓ ମୁମ୍ବାଇରେ ଦୁଷ୍କର୍ମ କରି ଆସୁଥିବା ଅଭିଯୋଗ କରିଥିଲେ ମହିଳା ଜଣଙ୍କ । ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଦେଖାଇ ତାଙ୍କୁ ସେ ଯୌନ ଶୋଷଣ କରୁଥିଲେ। ପୀଡ଼ିତା ବିରୋଧ କଲେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିଲେ। ଗଲା ଏପ୍ରିଲ ମାସରେ ସେ ଯୁବତୀ ଜଣଙ୍କୁ ମହନଦୀରେ ଠେଲି ମାରିଦେବାକୁ ବି ଉଦ୍ୟମ କରିଥିଲେ। ଏଭଳି ସଂଗିନ ଅଭିଯୋଗ ନେଇ ପୀଡ଼ିତା ଜଣକ ସୋମବାର ମହିଳା ଥାନାରେ ଫେରାଦ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ଅନ୍ୟପଟେ ଗିରଫ ଭୟରେ ସୌରିନ୍ ଫେରାର ଥିବା କୁହାଯାଉଛି। ସିଡିଏ ସେକ୍ଟର ୬ରେ ୨୦୧୫ ମସିହାରେ ଏକ ଘର ଭଡ଼ା ନେଇ ରହୁଥିଲେ। ସିଡିଏର ଏକ ମନୋରଞ୍ଜନ ଚ୍ୟାନେଲ ସହିତ ସେ ଜଡ଼ିତ ଥିଲେ। ଏଠାରେ ଗୀତ ରେକର୍ଡ କରିବା ସହିତ ଉକ୍ତ ଚ୍ୟାନେଲର ବିଚାରକ ଭାବେ କାମ କରୁଥିଲା। ସେହି ସମୟରେ ଜଗତପୁର ସାଇ ବିହାରରେ ରହୁଥିବା ଆଠଗଡ଼ର ଜଣେ ଯୁବତୀ କଲେଜ ଛକରେ ଥିବା ଏକ ଜାତୀୟକରଣ ବ୍ୟାଙ୍କରେ ଚାକିରି କରିଥିଲେ। ସେଠାରେ ସୌରିନ୍‌ ପୀଡ଼ିତାଙ୍କ ସହିତ ପରିଚିତ ହୋଇଥିଲା।

ସୌରିନ ଏହି ପୀଡ଼ିତାଙ୍କୁ ତାଙ୍କ ଭଡ଼ା ଘରକୁ ନେଇ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତାଙ୍କୁ ସେ ବିବାହର ପ୍ରତିଶ୍ରୁତି ଦେଇଥିଲା। ୨୦୧୬ରେ ଯୁବତୀ ଜଣକ ଉକ୍ତ ବ୍ୟାଙ୍କ ଛାଡ଼ି ମୁମ୍ବାଇରେ ଥିବା ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଥିଲେ। ସେଠାରେ ଉଭୟ ଲିଭ୍-ଇନ୍ ରିଲେସନସିପ୍‌ରେ ରହିଥିଲେ। ସୌରିନ ପୂର୍ବରୁ ବିବାହିତ ଓ ତାଙ୍କର ପିଲା ବି ଥିବା ଜଣାପଡ଼ିଥିଲା। ତା ପରେ ଯୁବତୀ ଜଣକ ସୌରିନଙ୍କ ନିକଟରୁ ଦୂରେଇବାକୁ ଚାହିଁଥିଲେ। ଯେତେବେଳେ ଯୁବତୀ ଜଣଙ୍କ ତାଙ୍କ ଠୁ ଦୂରେଇବାକୁ ଚାହିଁଥିଲେ ସେତେବେଳେ ସୌରିନ ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡ଼ିଓ ଦେଖାଇ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ। ଯୌନ ଶୋଷଣ ସହିତ ପୀଡ଼ିତାଙ୍କ ନିକଟରୁ ୯ ଲକ୍ଷ ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ବି ସେ ନେଇଥିଲେ। ତାଙ୍କୁ ମୁମ୍ବାଇରେ ସୌରିନ ନିୟମିତ ମାଡ଼ ବି ମାରୁଥିଲେ।

ଗଲା ଏପ୍ରିଲ ୧୫ ତାରିଖରେ ସୌରିନ କଟକ କୌଣସି କାମରେ ଆସିଥିଲେ। ଜଗତପୁର ମହାନଦୀ ଓଭରବ୍ରିଜ ଉପରକୁ ଯୁବତୀଙ୍କୁ ଡାକିଥିଲେ। ମହାନଦୀକୁ ଠେଲି ମାରିଦେବାକୁ ସେଦିନ ସୌରିନ ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ମା ଏ ସମ୍ପର୍କରେ ସୌରିନର ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ। ସୌରିନର ଏଭଳି ଅନେକ ଯୁବତୀଙ୍କ ସହିତ ସମ୍ପର୍କ ଥିବା ପରିବାର ଲୋକେ କହିବା ସହିତ ନିଜର ଅସହାୟତା ପ୍ରକାଶ କରିଥିଲେ। ମହିଳା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ପୁଲିସ ଦଫା ୩୭୬, ୪୯୩, ୪୧୭, ୩୨୩, ୩୪୧, ୫୦୬ରେ ଏକ ମାମଲା ରୁଜୁ ହୋଇଛି।