କାଳବୈଶାଖୀ ପ୍ରଭାବ: ଏହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ
(ଭୁବନେଶ୍ୱର) : କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଲଗାତାର ବର୍ଷା ଜାରି ରହିଛି । ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ଅଧିକ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା କିନ୍ତୁ ତାପମାତ୍ରା କମ୍ ରହୁଛି। ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ସୂଚନାନୁଯାୟୀ , ଆଜି (ସୋମବାର) ରାଜ୍ୟର ୨୧ଟି ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି। ତଥା ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁର ଆଦି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ସେପଟେ ଏହାପରେ ଧୀରେଧୀରେ କାଳବୈଶାଖୀର ପ୍ରଭାବ କମିବ। ୨ ତାରିଖ ଦିନ ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଅପରାହ୍ନ ଆଡ଼କୁ ହାଲୁକା ବର୍ଷା ସମ୍ଭାବନା ମଧ୍ୟ ରହିଛି।