ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ପାଇଁ ମତଦାନ ଆରମ୍ଭ

(ରିପୋର୍ଟସ ଟୁଡ଼େ): ରାଜସ୍ଥାନ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ଯାଇଛି । ତେଲେଙ୍ଗାନାରେ ୧୧୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦନା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଠାରେ ନକ୍ସଲ ପ୍ରଭାବିତ ଆସନରେ ସନ୍ଧ୍ୟା ୪ଟା ଓ ବାକି ଆସନରେ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ ।

ରାଜସ୍ଥାନରେ ୧୯୯ ଆସନରେ ମଧ୍ୟ ମତଦାନ ଆରମ୍ଭ ହୋଇ ଯାଇଛି । ଅଲୱର ଜିଲ୍ଲାର ରାମଗଡ଼ ଆସନରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗ୍ୟୁ ନିର୍ବାଚନ ବାତିଲ କରି ଦିଆଯାଇଛି । ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ କଡ଼ାମୁକାବିଲା ହେଉଛି । ସେହିପରି ତେଲେଙ୍ଗାନାରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି, କଂଗ୍ରେସ-ଟିଡିପି ମେଣ୍ଟ ଏବଂ ବିଜେପି ମଧ୍ୟରେ ତ୍ରିକୋଣୀୟ ଲଢ଼ାଇ ହେଉଛି । ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଗାମୀ ଡିସେମ୍ବର ୧୧ରେ ପ୍ରକାଶ ପାଇବ ।
ରାଜସ୍ଥାନ ବିଧାନସଭା ନିର୍ବାଚନରେ ମୋଟ ୨୨୭୪ ପ୍ରାର୍ଥୀଙ୍କ ଭାଗ୍ୟ କରିବେ ୪,୭୪,୩୭,୭୬୧ ମତଦାତା । ଏମାନଙ୍କ ମଧ୍ୟରେ ୨,୪୭,୨୨,୩୬୫ ଜଣ ପୁରୁଷ ହୋଇଥିବା ବେଳେ ୨,୨୭,୧୫,୩୯୬ ମତଦାତା ମହିଳା । ରାଜ୍ୟରେ ୨୦ ଲକ୍ଷରୁ ଅଧିକ ମତଦାତା ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି । ଇଣ୍ଡିଆନ ନ୍ୟାସନାଲ କଂଗ୍ରେସରୁ ୧୯୪ଜଣ, ଭାରତୀୟ ଜନତା ପାର୍ଟିରୁ ୧୯୯ ଜଣ, ବହୁଜନ ସମାଜ ପାର୍ଟିରୁ ୧୮୯ଜଣ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରୁ ଜଣେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ୧୬ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିରୁ ୨୮ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆକୁ  ଓହ୍ଲାଇଛନ୍ତି । ସେହିପରି ୮୧୭ ଜଣ ପ୍ରାର୍ଥୀ ଅନ୍ୟ ଦଳରୁ ଛିଡ଼ା ହୋଇଥିବା ବେଳେ ୮୩୦ ଜଣ ପ୍ରାର୍ଥୀ ହେଉଛନ୍ତି ସ୍ୱାଧୀନ । ମତଦାନକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ରାଜ୍ୟରେ ୧,୪୪,୯୪୧ ଯବାନ ମୁତୟନ କରାଯାଇଛି ।

ତେଲେଙ୍ଗାନାରେ କ୍ଷମତାସୀନ ଟିଆରଏସ, କଂଗ୍ରେସ-ଟିଡିପି ମେଣ୍ଟ ଏବଂ ବିଜେପି ମଧ୍ୟରେ ମୁକାବିଲା ହେଉଛି । ରାଜ୍ୟରେ ମୋଟ ୨.୮୦ କୋଟି ମତଦାତା ବିଧାନସଭା ନିର୍ବାଚନରେ ନିଜର ମତଦାନ କରିବେ । ଏଥି ପାଇଁ ୩୨,୮୧୫ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।