ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନୁଗୁଳ:- ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଅନୁଗୁଳରେ କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଚଢାଉ କରିଛି ଭିଜିଲାନ୍ସ । ସ୍ୱତନ୍ତ୍ର ବିଚାରପତି, ସୁନ୍ଦରଗଡ଼, ଭିଜିଲାନ୍ସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି । ଅନୁଗୁଳ, ଭୁବନେଶ୍ୱର, ସୁନ୍ଦରଗଡ, ଗଞ୍ଜାମ ଓ ରାଉରକେଲାରେ ଚଢାଉ ଚାଲିଥିବା ସୂଚନା ମିଳିଛି । ଚଢାଉରେ ତିନି ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଓ ୪ଜଣ ଏଏସଆଇ ଉପସ୍ଥିତ ରହିଛନ୍ତି । ଚଢ଼ାଉ ଜାରି ରହିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ ।

ତେବେ ଚଢାଉ ହୋଇଥିବା ସ୍ଥାନ ଗୁଡିକ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ରେ ଅବସ୍ଥିତ ତିନି ମହଲା କୋଠା। ରାଉରକେଲାର ଗୋପବନ୍ଧୁ ନଗରର ଛେଣ୍ଡ, ଏମ/୨୦ରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା। ଭୁବନେଶ୍ୱରର ଘଟିକିଆରେ ଫ୍ଲାଟ୍ ନଂ.୪୦୩, ଅରୋଭିଲା-୧, ଫେଜ୍-୩। ଭୁବନେଶ୍ୱରର ଘାଟିକିଆରେ ଫ୍ଲାଟ୍ ନଂ.୪୦୨, ଅରୋଭିଲା-୧, ଫେଜ୍-୩। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପିଏସ୍, ରାଞ୍ଝାଲି ଗ୍ରାମରେ ତାଙ୍କ ପୈତୃକ ଘର। ଗଞ୍ଜାମ ଜିଲ୍ଲା ବେହେରାସାହିର ପୁରୁଷୋତ୍ତମପୁରର ଆଲାଡିଗାଁ ଗ୍ରାମରେ ତାଙ୍କ ଶ୍ୱଶୁର ଘର। ଅନୁଗୁଳର ୩ଆରଏ/୧ ଜଳସେଚନ କଲୋନୀରେ ତାଙ୍କ ଆବାସିକ ସରକାରୀ କ୍ୱାର୍ଟର। ଅନୁଗୁଳର ଜଳସେଚନ ଡିଭିଜନରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ।