ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ ଲଗାଇଛନ୍ତି

କେମ୍ବ୍ରିଜ-: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କୁ ନାମଲେଖା କରିବାର ଅନୁମତିକୁ ପ୍ରତ୍ୟାହାର କରିଛି । ଏହି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ସହ ଟ୍ରମ୍ପ ପ୍ରଶାସନର ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛି । ଡିପାର୍ଟମେଣ୍ଟ ଅଫ ହୋମଲ୍ୟାଣ୍ଡ ସିକ୍ୟୁରିଟିର ସଚିବ କ୍ରିଷ୍ଟି ନୋଏମ ଗୁରୁବାର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହା ଦ୍ୱାରା ହାର୍ଭାର୍ଡ ଆଗାମୀ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବିଦେଶୀ ଛାତ୍ରଙ୍କୁ ନାମଲେଖା କରି ପାରିବ ନାହିଁ, ଏବଂ ବର୍ତ୍ତମାନ ଅଧ୍ୟୟନରତ ପ୍ରାୟ ୬,୮୦୦ ବିଦେଶୀ ଛାତ୍ରଙ୍କୁ ଅନ୍ୟ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ପଡିବ ଅଥବା ସେମାନେ ନିଜର ଆଇନଗତ ଭିସା ସ୍ଥିତି ହରାଇବେ । ଟ୍ରମ୍ପଙ୍କ ଏଭଳି ନିଷ୍ପତି ପରେ ଏହି ସବୁ ଛାତ୍ରଛାତ୍ରୀଙ୍କ ଅଡୁଆ ବଢିପାରେ ।

ଭାରତରୁ ମଧ୍ୟ ବହୁ ସଂଖ୍ୟକ ଛାତ୍ର ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ ପଢ଼ନ୍ତି ଏବଂ ଅନେକ ସେଠାକୁ ସ୍ନାତକ ଏବଂ ମାଷ୍ଟର୍ସ ପାଇଁ ଯିବାକୁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ସେମାନଙ୍କୁ ଧକ୍କା ଲାଗିଛି । ହାର୍ଭାଡ୍ ବିଶ୍ୱବିଦ୍ୟାଳୟର ସରକାରୀ ୱେବସାଇଟ୍ ଅନୁଯାୟୀ, ପ୍ରତିବର୍ଷ ୫୦୦ ରୁ ୮୦୦ ଭାରତୀୟ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରନ୍ତି । ବର୍ତ୍ତମାନ, ବିଶ୍ୱବିଦ୍ୟାଳୟରେ ୭୮୮ ଜଣ ଭାରତୀୟ ଛାତ୍ର ଅଧ୍ୟୟନ କରୁଛନ୍ତି ।

ଏହି ପଦକ୍ଷେପ ହାର୍ଭାଡ ବିଶ୍ୱବିଦ୍ୟାଳୟକୁ ପ୍ରଭାବିତ କରିବ । ଏହି ବିଶ୍ୱବିଦ୍ୟାଳୟରେ ପ୍ରତିବର୍ଷ ପ୍ରାୟ ୬,୮୦୦ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଏଠାରେ ଆଡମିସନ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାଜୁଏସନ ବା ସ୍ନାତକ ଛାତ୍ର ଅଟନ୍ତି । ଏବେ ସେହି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରିବାକୁ ପଡିବ ଯେ ସେମାନେ ମାଷ୍ଟରସ୍ ଏବଂ ଅଧିକ ଅଧ୍ୟୟନ ପାଇଁ କେଉଁ ବିଶ୍ୱବିଦ୍ୟାଳୟକୁ ଯିବେ । ଏହି ନିଷ୍ପତ୍ତି ହାର୍ଭାର୍ଡର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇବ ।