ଭୁବନେଶ୍ୱର: ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତଦେହ ମିଳିଥିବା ହଷ୍ଟେଲରୁ ସୁଇସାଇଡ୍ ନୋଟ ମିଳିଛି । ନର୍ସିଂ ଛାତ୍ରୀଙ୍କ ଶେଷ ଚିଠି ପୋଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ବରଂ ନିଦ ନହେବାରୁ ଆତ୍ମହତ୍ୟା କରିଛି ବୋଲି ଛାତ୍ରୀ ଜଣକ ଚିଠିରେ ଲେଖିଥିବା ଜଣାପଡିଛି । ଗୋଟିଏ ମିନିଟ ବି ନିଦ ହେଉନଥିବା ସେ ଚିଠିରେ ଲେଖିଥିଲେ । ଏପରିକି ସେ ଆହୁରି ମଧ୍ୟ ଲେଖିଛନ୍ତି ତାଙ୍କୁ ନିଦ ନହେବାରୁ ବହୁତ କଷ୍ଟ ଲାଗୁଛି, କିଛି କରିବାକୁ ଇଛା ହେଉନି । ଏଥିରେ କାହାର ଦୋଷ ନାହିଁ । ପୁଲିସ କାହାରିକୁ ହଇରାଣ କରନ୍ତୁନି ବୋଲି ମଧ୍ୟ ଚିଠିରେ ଲେଖାଯାଇଛି । ତେବେ ହାତ ଲେଖାଟି ମୃତ ଛାତ୍ରୀଙ୍କର କି ନୁହେଁ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହାତଲେଖା ମେଳକ ପାଇଁ ଚିଠିଟି ଲ୍ୟାବ୍ ପଠାଇବ ପୋଲିସ ।
ମୃତ ଛାତ୍ରୀ ହେଉଛନ୍ତି କୁନି କୁଅଁର । ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ପୋଲିସ୍ ଏହି ଘଟଣାର ଛାନଭିନ କରୁଛି ।