ଜୟପୁର / ମନୋଜ ଦାଶ: ଦକ୍ଷିଣ ଚଳଚ୍ଚିତ୍ର ଜଗତର ଦୁଇ ସୁପରଷ୍ଟାର ଅଭିନେତ୍ରୀ ତଥା ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍ ଜୟପୁରରେ ଏକ ବହୁଭାଷୀ ଚଳଚ୍ଚିତ୍ରର ସୁଟିଂ ପାଇଁ ପହଂଚିଛନ୍ତି । ପହଞ୍ଚିବା ପରେ ସ୍ଥାନୀୟ ବାକ୍ରିଷ୍ଣା ପେଲେସ୍ରେ ରହିଛନ୍ତି। ଏଥିପାଇଁ ହୋଟେଲର ସମସ୍ତ ରୁମ୍ ଆସନ୍ତା ୧୪ ପର୍ଯ୍ୟନ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ ବୁକ୍ କରାଯାଇଛି। ସୂଚନାନୁଯାୟୀ, ଉଭୟ ଅଭିନେତ୍ରୀ ଛତିଶଗଡ଼ର ଜଗଦଲପୁର ସହର ନିକଟସ୍ଥ ଚିତ୍ରକୋଟ ଏବଂ ତିରଥଗଡ଼ରେ ସିନେମାର କିଛି ଅଂଶ ସୁଟିଂ କରିଥିବା ସୂଚନା ମିଳିଛି। ହୋଟେଲ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏପରିକି ଉଭୟ ଅଭିନେତ୍ରୀଙ୍କ ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ଜୟପୁର ସହରର ମୁଖ୍ୟରାସ୍ତା, ସୂର୍ଯ୍ୟ ମହଲ, ଜୟନଗର, ଜଗନ୍ନାଥ ସାଗର ପାର୍ଶ୍ଵ ପାର୍କରେ ସିନେମାର ସୁଟିଂ ହେବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଦେଓମାଳିରେ ବି ସିନେମାର କିଛି ଦୃଶ୍ୟ ସୁଟିଂ କରାଯିବ।