ଏକା ସାଙ୍ଗରେ ଜଳିଲା ୨ଟି ଯୁଇ, କାନ୍ଧଦେଲେ ପୂର୍ବତନ ମନ୍ତ୍ରୀ

ମୃତ୍ୟୁ କେତେବେଳେ ଆସିବ କାହାକୁ ଜଣା ନଥାଏ l କିନ୍ତୁ ଜଣେ ସଂସାରରୁ ବିଦାୟ ନେବାର ମାତ୍ର କେଇଘଣ୍ଟା ଭିତରେ ସେହି ପରିବାରରୁ ଆଉ ଜଣଙ୍କ ଦେହାନ୍ତ ଘଟିବା ଅତ୍ୟନ୍ତ ଦୁଃଖଦ ଖବର l କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁହୁଣ୍ଡା ପଂଚାୟତ ଅନ୍ତର୍ଗତ ଧଉଳିଆ ଗ୍ରାମର ମୁରବୀ, ବର୍ଷିଆନ ସମାଜସେବୀ ରାଧାନାଥ ରାଉତଙ୍କ ଶନିବାର ପୂର୍ବାହ୍ନରେ ପରଲୋକ ଘଟିବା ଖବର ପାଇବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ  ଅନ୍ତିମ ଦର୍ଶନ ପାଇଁ ପହଂଚି ଥିଲେ l ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧଉଳିଆ ଗ୍ରାମରେ ପହଂଚି ଏହି ଶତାୟୁ ପୁରୁଷଙ୍କୁ କାନ୍ଧ ଦେଇ ସ୍ମଶାନରେ ଉପସ୍ଥିତ ହେବା ଦେଖିବାକୁ ମିଳିଥିଲା l ବିଜୁ ଜନତା ଦଳର ଜଣେ ପୁରୁଖା ନେତା ତଥା ବିଜୁ ବାବୁଙ୍କ ଅନୁଗତ ସ୍ବର୍ଗତ ରାଧାନାଥ ରାଉତଙ୍କ ମୃତ୍ୟୁର ୩ ଘଣ୍ଟା ମଧ୍ୟରେ ତାଙ୍କ ପୁତୁରା ବୋହୂ ହେମଲତା ରାଉତଙ୍କ ଦେହାନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା l ମାହାଙ୍ଗାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଉଭୟ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ l