ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ । ହାତୀ ଆକ୍ରମଣରେ କନ୍ତପଡ଼ା ଗ୍ରାମର ଦୁଇ ମା ଓ ଝିଅଙ୍କ  ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଜିଲ୍ଲାର ମଧୁପୁର ନିକଟରେ ହାତୀ ଆକ୍ରମଣ କରିଥିଲା । ମାଆ ଓ ଝିଅଙ୍କ  ମୃତ୍ୟୁ ହୋଇଥିବା ବେଳେ ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ବାପା, ମାଆ ଓ ଝିଅ ପୋକତୁଙ୍ଗା ଭୋକିଲାପାଳରୁ ବନ୍ତଳା ବନାଞ୍ଚଳର ମଧୁପୁର ଗାଁକୁ ଦଣ୍ଡ ନାଚ ଦେଖିବା ପାଇଁ ଯାଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳକୁ ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମଧୁପୁର ନିକଟସ୍ଥ ଏକ ଆମ୍ବ ବଗିଚା ପାଖରେ ପହଞ୍ଚିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରୁ ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମାଆ ଓ ଝିଅଙ୍କୁ ହାତୀ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଖବର ପାଇ ବନ୍ତଳା ପୋଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳକୁ ଯାଇ ଉଭୟ ମୃତଦେହକୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବନ ବିଭାଗ ଏନେଇ ଅଧିକ ତଦନ୍ତ କରୁଥିବା ବେଳେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଜାରି ରହିଛି । ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପାଇଁ ଲୋକେ ଦାବି କରିଛନ୍ତି ।