ନୂଆଦିଲ୍ଲୀ-: ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ ଦିନକୁ ଦିନ ବଢିବାରେ ଲାଗିଛି । ଟିକସ ବିଲ୍କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନମ୍ବର ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି । ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି ଟ୍ରମ୍ପ ଚେତାଇ ଦେଇଛନ୍ତି ।
ଟ୍ରମ୍ପ କହିଛନ୍ତି, ରିପବ୍ଲିକାନ ସାଂସଦମାନଙ୍କୁ ଚ୍ୟାଲେଞ୍ଜ କରୁଥିବା ବିରୋଧୀମାନଙ୍କୁ ମସ୍କ ଆର୍ଥିକ ସହାୟତା ଯୋଗାଇଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଟ୍ରମ୍ପଙ୍କ ଏପରି ଚେତାବନୀ ମସ୍କଙ୍କ ପାଇଁ ମହଙ୍ଗା ପଡ଼ିବାରେ ବୋଲି କୁହାଯାଉଛି । ଏପରି କି ଟ୍ରମ୍ପ ଏଲନ ମସ୍କଙ୍କ ବିଭିନ୍ନ କମ୍ପାନୀ ସହିତ ସରକାର କରିଥିବା ଚୁକ୍ତିଗୁଡ଼ିକୁ ରଦ୍ଦ କରିଦେବା ଲାଗି ମଧ୍ୟ ଚରମବାଣୀ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ଟ୍ରମ୍ପ ପ୍ରଶାସନ ନିକଟରେ ଏକ ନୂତନ ବିଲ୍ ଆଣିଛନ୍ତି । ଏହାର ନାମ ହେଉଛି ବିଗ୍ ବିଉଟିଫୁଲ୍ ବିଲ୍ । ମସ୍କ ଏହି ବିଲ୍ ବିରୋଧରେ ଅଛନ୍ତି ଏବଂ ଏହାକୁ ନିରନ୍ତର ସମାଲୋଚନା କରୁଛନ୍ତି । ଏହି କାରଣରୁ ଟ୍ରମ୍ପ୍ ମସ୍କଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଏବେ ସେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ଧମକ ମଧ୍ୟ ଦେଇଛନ୍ତି ।