ନୂଆଦିଲ୍ଲୀ: ପୁଣି ରଙ୍ଗ ବଦଳାଇଲେ ଟ୍ରମ୍ପ୍ । ଭାରତ-ଆମେରିକା ସଂପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ବତନ୍ତ୍ର କହିଲେ ଟ୍ରମ୍ପ । ‘ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି । ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ରୁଷିଆ ସହ ଭାରତର ତୈଳ କାରବାରକୁ ନାପସନ୍ଦ କଲେ ଟ୍ରମ୍ପ ।
ଋଷର ତୈଳ କ୍ରୟ ଏବଂ ଶୁଳ୍କକୁ ନେଇ ୱାଶିଂଟନ ଏବଂ ଦିଲ୍ଲୀ ମଧ୍ୟରେ ଜାରିରହିଥିବା ତୁ ତୁ ମେ ମେ ଭିତରେ ବଦଳିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ପୋତି ପକାଇଲେ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଭାରତ ଏବଂ ରୁଷିଆକୁ ଚାଇନା ପ୍ରଭାବ ପାଇଁ ହରାଇଛି। କିଛି ଘଣ୍ଟା ପରେ, ସେ ସ୍ପଷ୍ଟ କରିଥିଲେ, ମୁଁ ଭାବୁନାହିଁ ଯେ ଆମେ ଭାରତକୁ ହରାଇଛୁ, କିନ୍ତୁ ମୁଁ ନିରାଶ। କାରଣ ଭାରତ ଏବେ ବି ରୁଷିଆଠାରୁ ବିପୁଳ ପରିମାଣରେ ତେଲ କିଣୁଛି। ଏହି କାରଣରୁ ତାଙ୍କ ସରକାର ଭାରତ ଉପରେ ଏକ ବଡ଼ ଟାରିଫ୍ ଲାଗୁ କରିଛି । ସମାଲୋଚନା ମଧ୍ୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ମୋଦି ଜୀଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଅଛି । ସେ ଜଣେ ମହାନ ବ୍ୟକ୍ତି । ସେ କିଛି ମାସ ପୂର୍ବରୁ ଏଠାକୁ ଆସିଥିଲେ ।
ସେ ପୁଣି ଥରେ ଭାରତ ସହିତ ସମ୍ପର୍କ ଉନ୍ନତ କରିବାକୁ ପ୍ରସ୍ତୁତ କି ନାହିଁ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଥିଲେ ହଁ, ମୁଁ ସର୍ବଦା ପ୍ରସ୍ତୁତ । ମୋଦି ଜି ମୋର ଭଲ ବନ୍ଧୁ ଅଛନ୍ତି ଏବଂ ରହିବେ। ସେ ଜଣେ ବହୁତ ଭଲ ପ୍ରଧାନମନ୍ତ୍ରୀ। ଏହି ସମୟରେ ମୁଁ ତାଙ୍କର କିଛି ଜିନିଷ ପସନ୍ଦ କରୁନାହିଁ, କିନ୍ତୁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଜଭୁତ ଏବଂ ସ୍ବତନ୍ତ୍ର। ଚିନ୍ତା କରିବାର କିଛି ନାହିଁ।