ନୂଆଦିଲ୍ଲୀ: ଆଜି ମୋଦିଙ୍କ ୭୫ତମ ଜନ୍ମଦିନ। ୭୫ ବର୍ଷରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାରି ଭିତରେ ଗତକାଲିଠୁ ମୋଦିଙ୍କୁ ଟେଲିଫୋନ୍ କରି ଆଗୁଆ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ରମ୍ପ ସୂଚନା ଦେଇଛନ୍ତି । ଟାରିଫ ବିବାଦ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଟେଲିଫୋନ୍ କଥାବାର୍ତ୍ତା ହୋଇଥିଲେ। ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ରମ୍ପ ଲେଖିଛନ୍ତି ଏବେ ଏବେ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ରେ ଭଲ କଥାବାର୍ତ୍ତା ହୋଇଛି । ମୁଁ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛି । ସେ ବହୁତ ଭଲ କାମ କରୁଛନ୍ତି । ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବାରେ ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । ଟ୍ରମ୍ପଙ୍କ ପୋଷ୍ଟ ପରେ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୋଦି ଲେଖିଛନ୍ତି ମୋର ବନ୍ଧୁ, ରାଷ୍ଟ୍ରପତି ଟ୍ରମ୍ପ, ୭୫ତମ ଜନ୍ମଦିନ ଉପଲକ୍ଷେ ଆପଣଙ୍କ ଫୋନ୍କଲ ଓ ବଧାଇ ପାଇଁ ଧନ୍ୟବାଦ । ଆପଣଙ୍କ ଭଳି ମୁଁ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବ୍ୟାପକ ଓ ବୈଶ୍ୱିକ ଭାଗିଦାରୀକୁ ନୂଆ ଶିଖରକୁ ନେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଆପଣଙ୍କ ଉଦ୍ୟମକୁ ସମର୍ଥନ କରୁଛି।

ତେବେ ବର୍ତ୍ତମାନ ଟାରିଫ୍ ସମସ୍ୟା ଚାଲିଥିବା ବେଳେ ଭାରତ ସହ ଆମେରିକାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ଟ୍ରମ୍ପ ଏବଂ ମୋଦୀଙ୍କ ମଧ୍ୟରେ ଗତ ଜୁନ୍ ମାସରେ କାନାଡାର କାନାନାସ୍କିସରେ ଜି-୭ ଶିଖର ସମ୍ମିଳନୀ ପରେ ଏହା ପ୍ରଥମ ଫୋନ୍ କଲ୍ । ଜି-୭ ବୈଠକପରେ, ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିଥିଲେ । ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ ଉପରେ କଟକଣା ପାଇଁ ସେ ଓ ତାଙ୍କର ଅଧିକାରୀମାନେ ଭାରତକୁ ସମାଲୋଚନା କରିଥିଲେ ।