ହିନ୍ଦୋଳ ଥାନାରେ ତ୍ରିନାଥ ମନ୍ଦିରର ବାର୍ଷିକୋତ୍ସବ ପାଳନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଥାନାରେ ଥିବା ତ୍ରିନାଥ ମନ୍ଦିରର ବାର୍ଷିକୋତ୍ସବ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରାତଃରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ବିଭିନ୍ନ ଫୁଲହାର ସୁସଜ୍ଜିତ କରାଯାଇଥିଲା । ପରେ ସୂର୍ଯ୍ୟପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା, ହୋମ ଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ଏହି ଉପଲକ୍ଷେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ପ୍ରସାଦସେବନର ଆୟୋଜନ ସହ ମନ୍ଦିର ପ୍ରାଙ୍ଗଣରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ପୁରୋହିତଙ୍କ ମନ୍ତ୍ର ଧ୍ୱନିରେ ଗଗନ ପବନ କମ୍ପି ଉଠିଥିବା ସହିତ ଘଣ୍ଟବାଜା ବଜାଇ ପୂଜାର୍ଚ୍ଚନା କରାଯାଇଥିଲା । ଉତ୍ସବରେ ହିନ୍ଦୋଳ ଥାନା ଅଧିକାରୀଣୀ ମମତା କୁମାରୀ ସାମନ୍ତରାୟଙ୍କ ସମେତ ଥାନା ଉପ ନିରୀକ୍ଷକ ଖଗେଶ୍ବର ସେଠୀ, ସହକାରୀ ଉପ ନିରୀକ୍ଷକ ଯଶୋବନ୍ତ ପ୍ରଧାନ, ପ୍ରଦୀପ କୁମାର ଶତପଥୀ ଉପସ୍ଥିତ ଥିବା ବେଳେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।