ଆରମ୍ଭ ହୋଇଛି ରଥ ନିର୍ମାଣ ଓ ଚନ୍ଦନ ଯାତ୍ରା

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ର ରଥ ନିର୍ମାଣ ଓ ଚନ୍ଦନ ଯାତ୍ରା । ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା । ।ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରିଥିଲା।ତିନିଜଣ ପୂଜାପଣ୍ଡା ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିବା ପରେ ବିଶ୍ୱକର୍ମା ମହାରଣା ସୁବର୍ଣ୍ଣ କୁରାଢ଼ୀ ସ୍ପର୍ଶ କରି ରଥନିର୍ମାଣ ଅନୁକୂଳ କରିଥିଲେ। ଚନ୍ଦନ ଯାତ୍ରାରେ ଚଳିତ ବର୍ଷ ଭକ୍ତଙ୍କ ଗହଳ ଚହଳ,ହରିବୋଲ ହୁଳହୁଳି ଧ୍ୱନିରେ ମଣିବିମାନ ଓ ପାଲିଙ୍କିରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ବିଜେ କରିଥିଲେ । ଏହା ପୂର୍ବରୁ ରଥନିର୍ମାଣ ନିମନ୍ତେ ଦୁଇଜଣ ଦେଉଳ ପୁରୋହିତ ଓ ୧୧ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ହୋମ କରାଯାଇଥିଲା । ବ୍ୟାରିକେଡ ମଧ୍ୟରେ ୩ ଖଣ୍ଡ ଧଉରା କାଠ ରଖାଯାଇଥିଲା । ପୂଜାପଣ୍ଡା ଆଜ୍ଞାମାଳ ବିଶ୍ୱକର୍ମା ମହାରଣାଙ୍କୁ ପ୍ରଦାନ କରିବା ପରେ ଜଳ ସିଞ୍ଚନ କରାଯାଇ ସୁବର୍ଣ୍ଣ କୁରାଢ଼ୀ ଦ୍ୱାରା ରଥ ଅନୁକୂଳ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି,ଛତିଶା ନିଯୋଗ ମହାନାୟକଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ରଥନିର୍ମାଣରେ ସଂପୃକ୍ତ ସେବାୟତଙ୍କ ଶାଢ଼ୀ ବନ୍ଧା ଯାଇଥିଲା । ଭୋଇ ସେବକମାନେ ମହାପ୍ରସାଦ ଓ ନଡ଼ିଆ ଥୋଇ ଶାବଳ ପୂଜା କରିଥିଲେ।ରଥନିର୍ମାଣ ଅନୁକୂଳ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ ।ପ୍ରସ୍ତୁତ ହୋଇଥିବା ନନ୍ଦା ଓ ଭଦ୍ରା ଚାପରେ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଜଳକ୍ରୀଡ଼ା କରିଥିଲେ । ଏହି ଦୃଶ୍ୟ ଥିଲା ଅପୂର୍ବ ଓ ମନୋରମ । ଚଳିତବର୍ଷ ଭକ୍ତଙ୍କ ଗହଳିରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଯାତ୍ରା । ଏଥିସହ ଆଜି ଠାରୁ ରଥନିର୍ମାଣ କାର୍ୟ୍ୟ ଆରମ୍ଭ ହେବ।ସେପଟେ ଭକ୍ତଙ୍କ ଗହଣରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ତିନିଜଣ ଡିଏସପି ଓ ୬ଜଣ ଆଇଆଇସିଙ୍କୁ ମୃତୟନ କରାଯାଇଥିବା ବେଳେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।