ସରିଲା ଜନ୍ମବେଦୀରେ ଲୀଲାଖେଳା । ମହାବାହୁ ଆଡପ ମଣ୍ଡପରୁ ବାହୁଡିଯିବେ ଶ୍ରୀମନ୍ଦିରକୁ । ଭୋର ୪ଟାରେ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରୁ ସାଢେ ୨ଟା ମଧ୍ୟରେ ହେବ ବାହୁଡା ପହଣ୍ଡି । ଦିନ ଗୋଟାଏ ସାଢେ ୨ଟା ମଧ୍ୟରେ ଶେଷ ହେବ ବେଶ । ପରେ ଅପରାହ୍ନ ସାଢେ ୨ଟାରୁ ୩ଟା ୩୦ମଧ୍ୟରେ ଛେରା ପହଁରା କରାଯାଇ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟିବା ଓ ଘୋଡା ଲାଗି ହେବ। ଏହାପରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ରଥଟଣା । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ । ଆସନ୍ତାକାଲି ରଥଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ। କୋଭିଡ୍ କଟକଣା ଯୋଗୁ ଦୁଇବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏଥର ରାତି ଗୋଟାଏ ଯାଏଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ସୋମବାର ରଥ ଉପରେ ଅଧରପଣା ଓ ମଙ୍ଗଳବାର ନୀଳାଦ୍ରିବିଜେ କରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି।