ନୂଆଦିଲ୍ଲୀ-: ବିଦେଶ ଗସ୍ତରେ ଯିବେ ନାହିଁ ୟୁସୁଫ ପଠାନ । ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବାକୁ ମନା କଲେ ଟିଏମସି ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତରେ ଯିବେ ନାହିଁ ବୋଲି ୟୁସୁଫ କହିଥିବା ନେଇ ସୂଚନା ମିଳିଛି । ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ଟିମ୍ରେ ଅଛନ୍ତି ୟୁସୁଫ । ଅନ୍ୟପଟେ ତୃଣମୂଳ କଂଗ୍ରେସର କେହି ବି ସର୍ବଦଳୀୟ ପ୍ରତିନିଧି ଭାବେ ବିଦେଶ ଯିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ପହଲଗାମ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନ ଆଉ ପିଓକରେ ଭାରତ କରିସାରିଛି ଏୟାରଷ୍ଟ୍ରାଇକ୍ । ହେଲେ ଏହି ଏୟାରଷ୍ଟ୍ରାଇକ୍ ଭାରତ କାହିଁକି କଲା, ଆଉ କଣ ପାଇଁ କଲା, ସେନେଇ ଏବେ ବିଶ୍ୱକୁ ବତାଇବା ପାଇଁ ସାଂସଦମାନଙ୍କର ଗୋଟିଏ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଯିଏକି ବିଦେଶ ଗସ୍ତରେ ଯାଇ ପାକିସ୍ତାନର ଗୁମର ଖୋଲିବା ସହିତ, ଭାରତର ପକ୍ଷ ରଖିବେ ।
ତେବେ ଏଭଳି ଏକ ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଟିଏମସି ସାଂସଦ ୟୁସୁଫ ପଠାନଙ୍କ ଗୋଟିଏ ନିଷ୍ପତ୍ତି, ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ପାକିସ୍ତାନ ବିରୋଧରେ କହିବାକୁ ବିଦେଶ ଗସ୍ତରେ ଯାଉଥିବା ସାଂସଦଙ୍କ ଏହି ଟିମରେ ସାମିଲ ହେବାକୁ ମନା କରିଦେଇଛନ୍ତି ୟୁସୁଫ ପଠାନ । ୟୁସୁଫ ପଠାନ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ସେ ଏହି ବିଦେଶ ଗସ୍ତ ପାଇଁ ଉପଲବ୍ଧ ହେବେ ନାହିଁ । ଏଥିପାଇଁ ତାଙ୍କ ପାଖରେ ସମୟ ନାହିଁ । ଏହାସହ ତାଙ୍କୁ ଏହି ଟିମରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା ବୋଲି କହିଛନ୍ତି ୟୁସୁଫ ପଠାନ । ଖାଲି ସେତିକି ନୁହେଁ, ତାଙ୍କ ଦଳ ଟିଏମସି ସହିତ ମଧ୍ୟ ଏନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନି ବୋଲି ସୂଚନା ମିଳୁଛି ।