ଆଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶରେ ବିଜେପିକୁ ଧୋଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ରଥଯାତ୍ରାରେ ଘଟିଥିବା ବିଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍ । କହିଲେ ଅରବପତିଙ୍କ ପାଇଁ ଅଟକାଇଦେଲେ ମହାପ୍ରଭୁଙ୍କ ରଥ ।

ରାହୁଲ ଗାନ୍ଧି କହିଛନ୍ତି ଯେ, ଓଡ଼ିଶାରେ ରଥଯାତ୍ରା ହେଉଛି, କୋଟି କୋଟି ଲୋକ ଆସୁଛନ୍ତି ରଥ ଟାଣୁଛନ୍ତି । ହେଲେ ଏବେ ଏକ ଡ୍ରାମା ହେଉଛି, ରଥକୁ କୋଟିପତିଙ୍କ ପରିବାର ପାଇଁ ଅଟକାଇ ଦିଆଯାଉଛି । ଏଥିରୁ ଆପଣ ଓଡ଼ିଶା ସରକାର ଉଦ୍ଦେଶ୍ୟ ବିଷୟରେ ଜାଣିପାରୁଥିବେ । ଏହା ଓଡ଼ିଶାବାସୀଙ୍କ ସରକାର ନୁହେଁ ଅରବପତିଙ୍କ ସରକାର । ଏହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଆଉ ଭବିଷ୍ୟତକୁ ଚୋରି କରିବା । ଆପଣଙ୍କ ସରକାର ଓଡ଼ିଶା ଯୁବକଙ୍କ ପାଇଁ କେତେ ରୋଜଗାର ସୃଷ୍ଟି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ସେ ଆହୁରି କହିଛନ୍ତି, ବଡ ବଡ଼ କମ୍ପାନି ଆସୁଛନ୍ତି ଆପଣଙ୍କ ଜମି ନେଇଯାଉଛନ୍ତି, ଧନ ନେଇଯାଉଛନ୍ତି ଆପଣଙ୍କ ଖଣି ନେଇଯାଉଛନ୍ତି । କିନ୍ତୁ ତା ବଦଳରେ ଆପଣଙ୍କୁ କେତେ ରୋଜଗାର ଦେଉଛନ୍ତି? ଓଡ଼ିଶା ସରକାରଙ୍କ କାମ ଓଡ଼ିଶାର ଧନ ଗରିବ ଲୋକଙ୍କଠାରୁ ଚୋରି କରିବା । ପ୍ରଥମେ ବିଜେଡି ଏହି କାମ କରୁଥିଲା ଆଉ ଏବେ ବିଜେପି ଏହି କାମ କରୁଛି । ଓଡିଶାର ଗରିବ ଲୋକ, ଦଳିତ, ଚାଷୀ, ମଜୁରିଆ ଗୋଟିଏ ଅନ୍ୟପଟେ ୫ରୁ ୬ ଜଣ ଆରବପତି, ବିଜେପି ସରକାର, ଏମାନଙ୍କ ଭିତରେ ଲଢେଇ ହେଉଛି । ଆଉ କଂଗ୍ରେସ ଓଡ଼ିଶା ଜନତାଙ୍କ ସହ ମିଶି ଏହି ଲଢେଇ ଜିତିବ । ବିକାଶ ଆରବପତିଙ୍କ ପାଇଁ ନୁହେଁ ବିକାଶ ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଦରକାର ବୋଲି କହିଛନ୍ତି ରାହୁଲ ଗାନ୍ଧି।

ସେହିପରି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ । ରାହୁଲ କହିଛନ୍ତି ଡ୍ରାଇଭର ମହାସଂଘ ଉପରେ ଚାପ ପକାଯାଇଥିଲା । ସମାବେଶକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ ଡ୍ରାଇଭର ମହାସଂଘ ସେମାନଙ୍କ କଥା ଶୁଣିଲେନି । ଏଥିପାଇଁ ଡ୍ରାଇଭର ମହାସଂଘକୁ ହୃଦୟରୁ ଧନ୍ୟବାଦ ଜଣାଉଛି । ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିବା ଉଚିତ୍ ବୋଲି କହିଛନ୍ତି ରାହୁଲ ଗାନ୍ଧି ।