ବ୍ୟାଙ୍କକ୍: ସିଙ୍ଗାପୁର୍ ସ୍ଲିଙ୍ଗ୍ କକଟେଲ୍ ନାମରେ ପ୍ରସିଦ୍ଧ ପାନୀୟ ବିକ୍ରୟ କରି ସିଙ୍ଗାପୁରର ବିଳାସମୟ ରାଫେଲସ୍ ହୋଟେଲ୍ ଦୈନିକ ୩୦ହଜାର ଡଲାର ଉପାର୍ଜନ କରୁଛି ବୋଲି ନ୍ୟୁଜ୍ ଡଟ୍ କମ୍ ଏୟୁ ରିପୋର୍ଟ କରିଛି। ଏହି କକଟେଲର ଉଦ୍ଭାବକ ହେଉଛନ୍ତି ନିଆମ୍ ଟୋଙ୍ଗ୍ ବୁନ୍ ନାମରେ ଜଣେ ସାଧାରଣ ବାର୍ ଆଟେଣ୍ଡର୍ । ୧୯୧୫ ମସିହାରେ ଐତିହାସିକ ଲଙ୍ଗ୍ ବାରରେ ଉଦ୍ଭାବିତ ଏହି ପାନୀୟ ସେବେଠାରୁ ଆପଣାଛାଏଁ ସିଙ୍ଗାପୁରର ଜାତୀୟ ପାନୀୟ ହୋଇଯାଇଛି । ସମ୍ପ୍ରତି ରାଫେଲସ୍ ହୋଟେଲ୍ ଦୈନିକ ହାରାହାରି ୧୦୦୦ ସିଙ୍ଗାପୁର ସ୍ଲିଙ୍ଗ୍ କକଟେଲ୍ ବିକ୍ରୟ କରୁଛି।
ଏହି ପାନୀୟ ପାଇଁ ପର୍ୟ୍ୟଟକମାନେ ପାଗଳ ହୁଅନ୍ତି । ଇତିହାସରେ ରାଫେଲସର ଲଙ୍ଗ୍ ବାର୍ ଥିଲା ସାମାଜିକ ସମାବେଶ ପାଇଁ ଗୋଟାଏ ଜନପ୍ରିୟ ସ୍ଥାନ। ୧୯ ୧୫ ମସିହା ଆଇନ ଅନୁସାରେ ସର୍ବସାଧାରଣ ସ୍ଥାନରେ ମହିଳାମାନଙ୍କୁ ମଦ୍ୟପାନ କରିବାକୁ ବାରଣ କରାଯାଇଥିଲା। ମଦ ପରିବର୍ତ୍ତେ ସେମାନେ ଚା କିମ୍ବା ଫଳରସ ପିଉଥିଲେ। ଏହାକୁ ଲକ୍ଷ୍ୟ କରି ବାର୍ ଆଟେଣ୍ଡର୍ ନିଆମ୍ ମୁଣ୍ଡରେ ଉପାୟଟିଏ ଜୁଟିଲା। ସେ ଫଳରସ ଭଳି ଦିଶୁଥିବା ଏହି କକଟେଲ୍ ପ୍ରସ୍ତୁତ କରି ଏଥିରେ ଗୋଲାପୀ ରଙ୍ଗ ଦେବାରୁ ଏହା ମହିଳାଙ୍କ ପାଇଁ ଉଦ୍ଦୀଷ୍ଟ ପାନୀୟ ପରି ଦିଶୁଥିଲା।
ଡେଙ୍ଗା ଗ୍ଲାସରେ ପରିବେଷଣ କରାଯାଉଥିବା ଏହି କକଟେଲ୍ ଜିନ୍, ଚେରି ସୁରା, କଏନଟ୍ର୍ୟୁ, ବେନିଡିକ୍ଟଟିନ, ସପୁରି ରସ, କାଗେଜି ରସ, ଗ୍ରେନାଡାଇନ୍ ଏବଂ ଆଙ୍ଗୋସ୍ତୁରା ବିଟର୍ସ ସମିଶ୍ରଣରେ ପ୍ରସ୍ତୁତ କରାଯାଏ। ଏହି ପ୍ରସିଦ୍ଧ ପାନୀୟ ପିଇବା ଲାଗି ସମଗ୍ର ବିଶ୍ବରୁ ଆସୁଥିବା ପର୍ୟ୍ୟଟକମାନେ ସେ ବାରକୁ ଯାଆନ୍ତି। କ୍ରମେ ମହିଳାଙ୍କ ପାନୀୟ ଭାବେ ମଧ୍ୟ ଏହାକୁ ସାମାଜିକ ଓ ଆଇନଗତ ସ୍ବୀକୃତି ମିଳିଲା। ୧୦୦ରୁ ଅଧିକ ବର୍ଷ ହେଲାଣି ଏହି କକଟେଲ୍ ପର୍ୟ୍ୟଟକମାନଙ୍କୁ ସେମିତି ଆକୃଷ୍ଟ କରିଚାଲିଛି ।