ମାଲକାନଗିରି:- ଦେବଦୂତ ସାଜିଲେ ସ୍ୱାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ୫ କିଲୋମିଟର ବୋହି ଆଣିଲେ ରୋଗୀଙ୍କୁ । ଏପରି ଚିତ୍ର ନଜର ଆସିଥିଲା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗାଁରୁ । ଗାଁର ଜଣେ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ଭାର କରି ବୋହି ଆଣିଥିଲେ ସ୍ୱାସ୍ଥ୍ୟ ସୁପରଭାଇଜର ହରେକୃଷ୍ଣ ପାତିକା । ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦୀର୍ଘଦିନରୁ ଖରାପ ଥିବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ର ଆସିବା ସମ୍ଭବ ନଥିଲା କି ସ୍ୱାସ୍ଥ୍ୟ ଟିମ୍ ମଧ୍ୟ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ପାତିକା ମଙ୍ଗଲଦେଇଙ୍କୁ ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ୱାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲକୁ ଆଣି ଭର୍ତ୍ତି କରିଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।