ଦାଣ୍ଡରେ ଗଡନ୍ତି ବୋଲି ସେମାନେ ହେଲେ ଦଣ୍ଡୁଆ

ବ୍ୟୁରୋ- ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆଦ୍ୟରେ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧାର ଆଦି ଜିଲ୍ଲାରେ ଦେଖିବାକୁ ମିଳିଥାଏ ଭକ୍ତିର ଏକ ବିରଳ ତଥା ଅନନ୍ୟ ପରମ୍ପରା ଦଣ୍ଡନାଚ । ତେରଦିନ, ଷୋହଳ, ଅଠର ଏବଂ ଏକୋଇଶି ଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ବାଧାବିଘ୍ନକୁ ସମ୍ମୁଖୀନ ହୋଇ ଭଗବତୀଙ୍କ ଶରଣରେ ନିଜ ଭକ୍ତିର ନିଦର୍ଶନ କରାଇବା ଏହି ଲୋକ ପରମ୍ପରାର ଏକ ଅଦ୍ଭୂତ ଅଂଶ ।

ପାରମ୍ପରିକ ବିଧି ଅନୁସାରେ ୨୧ ଦିନ ପର୍ଯ୍ୟନ୍ତ ଆମିଷ, ମଦ୍ୟ, ନାରୀସଂସର୍ଗ ପରିହାରର ସଂକଳ୍ପ କରି ଦଣ୍ଡୁଆ ବା ଭୋକ୍ତା ଗେରୁଆ ବସ୍ତ୍ର ପିନ୍ଧି କାମନା ମନ୍ଦିର ପୀଠରେ ଯାତ୍ରା ଆରମ୍ଭ ଦିନର ମଧ୍ୟରାତ୍ରରେ ଏକାଠି ହୁଅନ୍ତି । କାମନା ଘଟ ସ୍ଥାପିତ ହୁଏ ଓ ତା ପରେ ଦୁଇଟି ବେତକୁ ଶିବ ଓ ଗୌରୀଙ୍କ ପ୍ରତୀକରୂପେ ସ୍ଥାପନ କରାଯାଏ । ଦଳର ମୁଖ୍ୟ ପାଟ ଦଣ୍ଡୁଆ ଓ ଅନ୍ୟ ଦଣ୍ଡୁଆମାନେ ଉପବୀତ ଧାରଣ ପୂର୍ବକ ବାଉଁଶକାଠକୁ ଘର୍ଷଣ କରି ଶିବାଗ୍ନି ବାହାର କରନ୍ତି ଓ ଏଥିରେ ନଡ଼ାରେ ତିଆରି ରମ୍ପାବରକୁ ପ୍ରଜ୍ଜ୍ୱଳିତ କରାଯାଏ ଯାହା ୧୩ ଦିନ ପର୍ଯ୍ୟନ୍ତ ଜଳିରୁହେ । ମା’ କାଳୀଙ୍କ ଚିତ୍ରପଟ, ମହାଦେବଙ୍କ ପ୍ରତୀକ ନାଗ ମୂର୍ତ୍ତି, ମୟୁରପୁଚ୍ଛ, ପତାକା ପୂଜାପରେ ଦଣ୍ଡନାଟ ଆରମ୍ଭ ହୁଏ । ଢୋଲ, ମହୁରୀ, ସାହାନାଇ, ଘଣ୍ଟ, ଶଙ୍ଖ, କାହାଳୀ, ଝାଞ୍ଜ, ଘୁଙ୍ଗୁର, ଘାଗୁଡ଼ି, ଦାସକାଠି, ରାମତାଳି, ଘୁଡୁକୀ, ଖଞ୍ଜଣୀ ପ୍ରଭୃତି ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦଣ୍ଡନାଟ ପ୍ରଥମେ କାମନା ମନ୍ଦିର ପରିସରରେ ଆରମ୍ଭ ହୋଇ ପରେ ମାନସିକଧାରୀ ଭକ୍ତମାନଙ୍କ ଗୃହ ସମ୍ମୁଖରେ ଅନୁଷ୍ଠିତ ହୋଇଥାଏ । ଧୂଳିଦଣ୍ଡ, ପାଣିଦଣ୍ଡ ଏବଂ ଅଗ୍ନିଦଣ୍ଡ ଏହି ତିନି କ୍ରମରେ ଦଣ୍ଡନାଟ ପ୍ରଦର୍ଶିତ ହୁଏ ।

ଦଣ୍ଡ ନାଟୁଆ ମାନେ ବିଶ୍ଵାସ କରନ୍ତି ଯେ ଗୌରୀବେତରେ ସ୍ଵୟଂ ମହାଦେବ ଶିବ ଅବସ୍ଥାନ କରିଥାନ୍ତି । ଦଣ୍ଡନାନାଚର ପରିବେଷଣ ଏକ ସ୍ଵତନ୍ତ୍ର ସମୟ ଓ ପର୍ବରେ ଅନୁଷ୍ଠିତ ହୋଇଥାଏ । ଓଡିଆ ନବ ବର୍ଷର ଆରମ୍ଭ ମହାବିଷୁବ ସଙ୍କରାନ୍ତି ଦିନ ଏହି ଦଣ୍ଡନାଚ ଉଦଯାପିତ ହୁଏ । ଦଣ୍ଡନାଚ ମନସ୍କାମନା ପୂରଣ ପାଇଁ କଠିନ ସାଧନା ବଳରେ ଉଭୟ ଭଗବାନ ଶିବ ଓ ଦେବୀ କାଳୀଙ୍କୁ ଉପାସନା କରାଯାଏ । ଦଣ୍ଡନାଚର ଉତ୍ପତ୍ତି ସମ୍ପର୍କରେ କୌଣସି ସଠିକ ପ୍ରମାଣ ନଥିଲେ ସୁଦ୍ଧା ଅନେକ କିମ୍ବଦନ୍ତୀ, ଲୋକକଥା ଓ ପୌରାଣିକ ଉପାଖ୍ୟାନ ରହିଛି ।ଯାହା ଦଣ୍ଡନାଚର ପ୍ରସ୍ଥିତି ବହୁ ପ୍ରାଚୀନ ବୋଲି ଦର୍ଶାଏ ।

ଦିନ ଦିପହରରେ ଧୂଳିଦଣ୍ଡ ପରିବେଷଣରେ କ୍ଷେତ୍ର ପ୍ରସ୍ତୁତି, ହଳ ଚାଳନା, ଧାନ ରୋପଣ, ବଛାବଛି, ଅମଳ, ଭୂମି ପୂଜା, ମନ୍ଦିର ନିର୍ମାଣ, ଲୁଗା ବୁଣା, ହଳଦୀ ବଟା, କୂଅ ଖୋଳା ଆଦି ପ୍ରଦର୍ଶିତ ହୁଏ। ଜଣେ କୃଷକ ପରିବାରର ନିଛକ କାହାଣୀକୁ ହସ ମଜାରେ ପ୍ରଚଣ୍ଡ ଖରାତାତିରେ ପ୍ରଦର୍ଶନ କରାଯାଏ । ଧୂଳି ଦଣ୍ଡ ପରେ ଆରମ୍ଭ ହୁଏ ପୋଖରୀ କିମ୍ବା ନଦୀରେ ପାଣି ଦଣ୍ଡ । ଛଅ ଆଙ୍ଗୁଳି ଲମ୍ବର ଆମ୍ବ ଡାଳରେ ଦାନ୍ତ ଘସି ସ୍ନାନ କରିବା ପରେ ତେରଥର ବୁଡ଼ି ତେର ଆଞ୍ଜୁଳା ପାଣି ଆଣି ଦଣ୍ଡୁଆମାନେ ଶିବଲିଙ୍ଗ ସ୍ଥାପନା କରନ୍ତି । ତା ପରେ ବିଭିନ୍ନ ଉପଚାରରେ ପୂଜାର୍ଚନା ହୁଏ । ପଣା ଏବଂ ଲିଆଖଇର ପ୍ରସାଦ ପାଇ ଦଣ୍ଡୁଆମାନେ କିଛି ସମୟ ବିଶ୍ରାମ ନିଅନ୍ତି । ଏହା ପରେ ଝୁଣା ଖେଳି ଖେଳି ଦଣ୍ଡଦଳ ମାନସିକଧାରୀଙ୍କ ଘରକୁ ଆସନ୍ତି । ସ୍ୱପ୍ନାଦେଶ ପାଇଥିବା ଦଣ୍ଡୁଆମାନେ କଳା ପୋଷାକ ପିନ୍ଧିଥାନ୍ତି, ମୁଣ୍ଡରେ କଳା କନା ବାନ୍ଧିଥାନ୍ତି ଓ ରକ୍ତ ସିନ୍ଦୁର ଚିତା ଲଗାଇ କାଳୀପ୍ରଭା ଧାରଣ କରିଥାନ୍ତି । ଢୋଲର ତାଳେ ତାଳେ ଝୁଣା ନିଆଁର ପ୍ରୟୋଗରେ ଦଣ୍ଡୁଆଙ୍କ ଦେହରେ କାଳିକା ପ୍ରସନ୍ତ ହୁଅନ୍ତି । ଏହି ଅଗ୍ନିଦଣ୍ଡ ଫଳରେ ସେ ଚେତାଶୂନ୍ୟ ହୋଇ ସାଷ୍ଟାଙ୍ଗ ପ୍ରଣିପାତ କଲା ପରେ ଚେତା ଫେରିଲା ପରେ ସନ୍ଧ୍ୟାରେ ଆଳତୀ ହୁଏ । ସନ୍ଧ୍ୟା ଆଳତୀରେ ଯୋଗଦେଇ ଲୋକେ ନିଜର ଅପରାଧ କ୍ଷମାପାଇଁ ପ୍ରାର୍ଥନା କରିଥାନ୍ତି । ଦଣ୍ଡୁଆଙ୍କ ଦେହରେ ଦେବୀ କାଳୀ ବିରାଜନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି ।