୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ : ଆସନ୍ତା ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବିଶ୍ୱପ୍ରସିଦ୍ଧ ଶିମିଳିପାଳ  ଅଭୟାରଣ୍ୟ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟ ପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନି ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ,  ଜୁନ ୧୨ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ଏଥର ପର୍ଯ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ପାଇପାରିବେ। ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ, ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ତଦସହିତ ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରି ଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ଯିବାକୁ ଥିବା ସମସ୍ତ ଚାରି ଚକିଆ ଯାନ ଗୁଡିକ ୧୮୦ ଏମଏମ କିମ୍ବା ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବାର ଆବଶ୍ୟକତା ରହିଥିବା ସହିତ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ ରହିଛି।