ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଏବଂ ପାହାଡିଆ ଅଞ୍ଚଳ, ସବୁଠି ଏବେ ଅସହ୍ୟ ଶୀତ ଲହରି ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ ହେଉଛି । ୮ ଡିଗ୍ରୀ ତଳେ ରହିଛି ପାରଦ । ଶୀତରୁ ରକ୍ଷା ପାଇବାକୁ ନିଆଁ ପୁଇଁ ହେଉଛନ୍ତି ଲୋକ । ସକାଳୁ ସକାଳୁ ଚା ଦୋକାନରେ ବି ଭିଡ ଜମୁଛି । ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ହେଉଛି । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ । ଦେହ, ହାତ ଥରିଯାଉଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଜାଡ଼ ଶୀତ । ବିଶେଷ କରି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ମାତ୍ର ୪.୪ ଡିଗ୍ରି ରହିଛି । ସେହିପରି ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଯେଉଁଠାରେ ପାରଦ ୭.୨ ଡିଗ୍ରିକୁ ଖସି ଆସିଛି । ରାଜ୍ୟର ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତ ଲହରି ବୃଦ୍ଧି ପାଇଛି । କଟକରେ ୧୧.୮ ଏବଂ ଭୁବନେଶ୍ୱରରେ ୧୧.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି, ଯାହା ଫଳରେ ସହରବାସୀ କଲବଲ ହେଉଛନ୍ତି ।

ଅନ୍ୟାନ୍ୟ ସହର ମଧ୍ୟରେ ଝାରସୁଗୁଡ଼ାରେ ୭.୬, କେନ୍ଦୁଝରରେ ୯.୬, ସମ୍ବଲପୁରରେ ୧୨, ହୀରାକୁଦରେ ୧୩.୩, ବାଲେଶ୍ବରରେ ୧୩.୬, ପାରାଦୀପରେ ୧୩.୯ ଏବଂ ଚାନ୍ଦବାଲିରେ ୧୪ ଡିଗ୍ରି ତାପମାତ୍ରା ରହିଛି । ରାଜ୍ୟରେ ଏଭଳି ଥଣ୍ଡା ଜାରି ରହିବ । ୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଭଳି ପାହାଡ଼ିଆ ଜିଲ୍ଲାଗୁଡିକରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ ନିଆଁ ପୋଉଁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସକାଳୁ ସ୍ୱାସ୍ଥ୍ୟ ସଚେତନ ଲୋକମାନେ ବ୍ୟାୟାମ କରି ଶୀତ ଛଡ଼ାଉଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ହାଡ଼ଭଙ୍ଗା ଶୀତରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ । ଆଗକୁ ଶୀତର ପ୍ରକୋପ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।