ହିଞ୍ଜିଳି/ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଅଞ୍ଚଳରେ ଚାଷୀ ତାର ପୁରୁଣା କୈଶଳରେ ଚାଷ କରିବା ଦ୍ୱାରାରା ଆଉ ଅଧିକ ଲାଭବାନ ହୋଇପାରୁନାହିଁ । ତେଣୁ ଆଧୁନିକ ପ୍ରଣାଳୀରେ ଚାଷ କରିବା ସହ ଆଧୁନିକ ପ୍ରଣାଳୀରେ ବିହନ ବ୍ୟବହାର କରିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ଧାନ ବିହନ ଲୋପ ପାଇଲାଣି । ଚାଷୀ ଆଉ ଆଗ ଭଳି ଧାନ ବିହନ ଘରେ ସଂଗ୍ରହ କରି ନରଖି ସମ୍ପୂର୍ଣ୍ଣ ରୂପେ ସରକାରୀ ବିହନ ଉପରେ ନିର୍ଭର କରିବାକୁ ପଡୁଛି । ପାଣିପାଗର ଅସ୍ଥିରତା, ମାଟିର ଉର୍ବରତା ଦିନକୁ ଦିନ କ୍ଷୟ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବର୍ତ୍ତମାନ ଆଉ ପାରମ୍ପରିକ ପଦ୍ଧତିରେ ପୂର୍ବ ଭଳି ଧାନ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ବର୍ତ୍ତମାନ ଆଧୁନିକ ଚାଷ ନାମରେ ଶଙ୍କର ଜାତୀୟ ବିହନ ପ୍ରୟୋଗ, କୀଟନାଶକ, ରାସାୟନିକସାର ସହ ଆଧୁନିକ ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁଁ ବର୍ତ୍ତମାନ ଯୁଗର ଚାଷୀଙ୍କ ସଂଜ୍ଞା ବଦଳିଯାଇଛି । ବର୍ତ୍ତମାନ ଆଉ ଚାଷ କାମରେ ବଳଦ, ହଳଲଙ୍ଗଳ, ମହି, ଯୁଆଳି ପ୍ରଭୁତି ଲୋପ ପାଇବାକୁ ବସିଲାଣି । ପୂର୍ବରୁ ଚାଷୀ ମାନେ ଧାନ ଅମଳ ହେବା ପରେ ବିହନ ପାଇଁ ସାଇତି ରଖିବା ପରେ ବଳକା ଧାନକୁ ଖାଇବା ଓ ବିକ୍ରି କରିଥାନ୍ତି । କିନ୍ତୁ ବର୍ତ୍ତମାନ ଚାଷୀ ଅଧିକ ଅମଳ ନିମନ୍ତେ ପାରମ୍ପରିକ ଦେଶୀ ଧାନ ଓ ଜୈବିକ ଚାଷ ପ୍ରଣାଳୀରୁ ଦୂରେଇଯିବା ସହ ବିଦେଶୀ ବା ଶଙ୍କର ଜାତୀୟ ଧାନ ବିହନ ପ୍ରୟୋଗ କରି ଅଧିକ ଅମଳକ୍ଷମ ଧାନ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି । ସରକାରୀ ବିହନ କେନ୍ଦ୍ରରେ ଆଉ ପୂର୍ବଭଳି ବାୟା, ଵଣ୍ଡା, ରତ୍ନ, ଚୁଡି, କଳାଜିରା, ମହିପାଳ, ଜଗନ୍ନାଥ, ବଡମସୂରି ଭଳି ଦେଶୀ ଧାନ ବିହନ ମିଳୁନାହିଁ । ତେବେ ଅତ୍ୟଧିକ ଅମଳ ନାଁ ରେ ସଙ୍କର ଜାତୀୟ ବିହନ ପ୍ରୟୋଗ, ରାସାୟନିକ ସାର ଓ କୀଟନାଶକ ଔଷଧ ବ୍ୟବହାର ଫଳରେ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥିଲେ ମଧ୍ୟ ଦେଶୀ ଧାନ ବିହନ ଭଳି ପାରମ୍ପରିକ ଧାନର ଗୁଣବତ୍ତା ଦେଖିବାକୁ ମିଳୁନାହିଁ ।