ମୟୁରଭଞ୍ଜ: ସଫଳତା ପାଇଛି ମୟୁରଭଞ୍ଜ ମହୁଲଡିହା ପୋଲିସ । ଚୋରି ଜିନିଷ ସବୁ ଜବତ କରିବା ସହିତ ଚୋରଙ୍କ ସର୍ଦ୍ଦାରକୁ ମହୁଲଡିହା ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଚୋର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗେଣ୍ଡାବସା ଗାଁର ଯୁଧିଷ୍ଠିର ହାଁସଦା ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତର ଘରୁ ଏବଂ ମାମୁଘରୁ ପୋଲିସ ଅନେକ ପ୍ରକାରର ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଗତ ୨୭ ତାରିଖ ବିଳମ୍ବିତ ରାତିରେ ଏକ ବାଇକ ଚୋରି କରି ନେଇ ଯାଉଥିବା ସମୟରେ ସ୍ଥାନୀୟ ହାରିବେଢାଠାରେ ପୋଲିସ ଯୁଧିଷ୍ଠିରକୁ କାବୁ କରିଥିଲା । ତେବେ ପୋଲିସର ପଚରାଉଚରା ପରେ ଯୁଧିଷ୍ଠିର ବିଗତ ମାସକଭିତରେ କରିଥିବା ଚୋରିର କଳା ଚିଠା ପୋଲିସ ଆଗରେ ବଖାଣିଥିଲା । ସାତକୋଶିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଗୋହଳମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବୁଢୀକୁଦରର ଏକ ମୋବାଇଲ ଦୋକାନରୁ ମଧ୍ୟ ଚୋରି କରିଥିବା କହିଥିଲା ଯୁଧିଷ୍ଠିର । ଏ ସମସ୍ତ ଚୋରି ସାମଗ୍ରୀ ପୋଲିସ ଜବତ କରିବା ସହିତ ଯୁଧିଷ୍ଠିରର ଅନ୍ୟ ସହଯୋଗୀମାନଙ୍କୁ ଖୋଜୁଛି ମହୁଲଡିହା ପୋଲିସ ।
ତେବେ ଯୁଧିଷ୍ଠିର ଘରୁ ଏବଂ ଉଦଳା ସ୍ଥିତ ମାମୁ ଘରୁ ଗୋଟିଏ ବାଇକ, ୨ଟି ବ୍ୟାଟେରୀ, ୨ଟି ପ୍ରିଣ୍ଟର ସହିତ ଇନଭର୍ଟର, ୨ଟି ସିଲେଇ ମେସିନ, ୨ଟି ଲାପଟପ, ଟେବୁଲ, ଚେୟାର, ମୋବାଇଲ ସାମଗ୍ରୀ ଏବଂ ବିଦ୍ୟୁତ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଗିରଫ ଯୁଧିଷ୍ଠିରକୁ ଖୁବ ଶୀଘ୍ର କାର୍ଟ ଚାଲାଣ କରାଯିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଏଥି ଯୁଧିଷ୍ଠିର ଗ୍ୟାଙ୍ଗରେ ଥିବା ଅନ୍ୟ ସାଥୀମାନଙ୍କୁ ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।