ସାଲେପୁର ଜ୍ୟୋସ୍ନା ରାଣୀ ସିଂହ : କଥାରେ ଅଛି, “ସ୍ନେହ, ପ୍ରେମ ଓ ଆଦର ହିଂସ୍ର କୁ ବି ନିଜର କରିଥାଏ”। ମଣିଷ ଓ ପଶୁ ଙ୍କ ମଧ୍ୟରେ ମମତା, ସ୍ନେହ ପ୍ରେମ ଓ ଅତୁଟ ବନ୍ଧନ ର ଅନେକ ଦୃଷ୍ଟାନ୍ତ ରହିଛି ଏ ସଂସାର ରେ।ତା ମଧ୍ୟରୁ ଭୀମସେନ ନାୟକ ଙ୍କ ପଶୁ ମାନଙ୍କ ପ୍ରତି ଭଲ ପାଇବା ଏକ ନିଆରା ଦୃଷ୍ଟାନ୍ତ ହୋଇଛି ଅଂଚଳରେ। ଭୀମସେନ ଙ୍କୁ ଅଂଚଳରେ ସମସ୍ତେ ମାଙ୍କଡ଼ପ୍ରେମୀ ବୋଲି କୁହନ୍ତି । ଭୀମସେନ ନିଜ ଗୁରୁଙ୍କ ଆଦେଶରେ ୩/୪ ଦିନରେ ଏହି ବଣୁଆ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦିଅନ୍ତି। ଆଉ ଏହି ମାଙ୍କଡ଼ ମାନଙ୍କୁ ନିଜର ଭଗବାନ ବୋଲି ଭାବନ୍ତି।
ଏଭଳି ଏକ ମଣିଷ ହେଲେ କଟକ ଜିଲ୍ଲା ସାଲେପୁର ବ୍ଳକ ମାଳିହତା ଗ୍ରାମର ଭୀମସେନ ନାୟକ। ନିଜର ଜମିଜମା ନଥିବାରୁ ମୁଣ୍ଡ ଗୁଞ୍ଜିଛନ୍ତି ଏକ ଅନାବାଦୀ ସରକାରୀ ଜମିରେ। ପ୍ରତ୍ୟେକ ଦିନ ପର ଘରେ ମୂଲଲାଗି ପେଟ ପୋଷନ୍ତି। ଆଉ ଯାହା କିଛି ମିଳେ ସେଥିରୁ ନିଜର ପରିବାର ଓ ମାଙ୍କଡ଼ ମାନଙ୍କ ପେଟ ପୂରାନ୍ତି। ଭଲକରି ଦେଖନ୍ତୁ ଏହି ଦୃଶ୍ୟ କୁ, ଯେଉଁଠି ବଣୁଆ ମାଙ୍କଡ଼ ମାନଙ୍କୁ ଦେଖିଲେ ଲୋକମାନେ ଦୂର ଦୂର କହି ଢେଲାପଥର ଫୋପାଡୁ ଥିବାବେଳେ ଭୀମସେନ ସେମାନଙ୍କୁ କୋଳେଇ ନେଇଛନ୍ତି।
ସେତେ ଯେପରି ବଣୁଆ ମାଙ୍କଡ଼ ଙ୍କ ଅତି ନିଜର ଭୀମସେନ ଆଉ ଭୀମସେନ ବି ଅତି ଆପଣାର ଏହି ମାଙ୍କଡ଼ ଙ୍କର। ଆଉ ଚାରିପାଖରେ ଦେଖନ୍ତୁ ବଣୁଆ ମାଙ୍କଡ଼ମାନେ କିଭଳି ଭାବରେ ଘୁରି ବୁଲୁଛନ୍ତି ଖାଦ୍ୟ ଖାଇବା ପାଇଁ। ଆଉ ଜଣ ଜଣ କରି ମାଙ୍କଡ଼ ଭୀମସେନ ଙ୍କ ଠାରୁ କିଭଳି ଭାବରେ ହାତରୁ ଖାଦ୍ୟ ନେଇ ନିର୍ଭୟରେ ଖାଉଛନ୍ତି।
ଏହାକୁ ସାଧାରଣ ଲୋକେ ଦେଖିଲେ ନିଶ୍ଚିନ୍ତ ଭାବରେ ମନରେ ଡର ଆସୁଥିବ। ହେଲେ ଭୀମସେନଙ୍କ ଟିକେ ବି ଡରଭୟ ନାହିଁ କି ମାଙ୍କଡ଼ ମାନଙ୍କର ବି ଭୟ ନାହିଁ। ସେ ଅନାବିଳ ଭାବ ଓ ପ୍ରେମରେ ମାଙ୍କଡ଼ ମାନଙ୍କୁ ନିଜର ପୁଅଝିଅ ପରି ଭଲ ପାଉଛନ୍ତି ଭୀମସେନ। ଆଉ ଅଜାଡି ଦିଅନ୍ତି ନିଜର ସ୍ନେହ, ଶ୍ରଦ୍ଧା ଓ ମମତା ସବୁ କିଛି ନିଛାବର କରି ଏହି ବଣୁଆ ମାଙ୍କଡ଼ ମାନଙ୍କ ଉପରେ। ଭୀମସେନ କହନ୍ତି ମୁଁ ମାଙ୍କଡ଼ ମାନଙ୍କୁ ଭଲପାଏ ଆଉ ଜୀବନ ରେ ଥିବା ମୋର ସମସ୍ତ ଦୁଃଖ ଭୁଲିଯାଏ।