ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର

ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ  ସରକାର । ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ଅଦଳବଦଳ କରାଯାଇଛି । ଅଦଳବଦଳ ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କୁ ଅଣାଯାଇଛି  । ଆଇଏଏସ୍ ଅଧିକାରୀ ଏ. ଶସ୍ୟ ରେଡ୍ଡୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ନୂତନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ତାଙ୍କୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଛି । ସେହିପରି ବଣାଇର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଅକ୍ଷୟ ପିଲ୍ଲେଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ୨୦୧୪ ବ୍ୟାଚର ଆଇଏଏସ୍ ଅଧିକାରୀ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳ ଆୟୁକ୍ତଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ୨୦୧୪ ବ୍ୟାଚର ଆଇଏଏସ୍ ଲିଲି କୁମାରୀ କୁଲଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ଓଡ଼ିଶା ସମବାୟ ସମିତ ସମୂହର ନିବନ୍ଧକ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅତିରିକ୍ତ ଶାସନ ସଚିବ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଆଇଏଏସ ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା  ଓ ରାଜ୍ୟ ଶିକ୍ଷା ଅନୁସନ୍ଧାନ ଏବଂ ତାଲିମ ପରିଷଦ ଭାବେ ବଦଳି ହୋଇଛନ୍ତି ।  ଏଥିସହିତ ସେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।