ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି

ଭୁବନେଶ୍ୱର-: ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ ଅଧିକାରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଏବଂ ଲୋକସମ୍ପର୍କ (ଆଇ ଆଣ୍ଡ ପିଆର) ବିଭାଗର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି। ପିଏମ୍‌ ପୋଷଣ ଓ ଏମ୍ଏମ୍‌ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଥିଲେ ଅନୁଜ କୁମାର ଦାସ ପଟ୍ଟନାୟକ।

ସେ ଦେବ ପ୍ରସାଦ ଦାଶଙ୍କ ସ୍ଥାନ ନେବେ। ଦେବ ପ୍ରସାଦ ଗତ ମାସରେ ସ୍ୱତନ୍ତ୍ର ସଚିବ ପଦବୀକୁ ପଦୋନ୍ନତି ପାଇଥିଲେ ଏବଂ ଆଇ ଆଣ୍ଡ ପିଆର ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଥିଲେ। ଚଳିତ ବର୍ଷ ଫେବୃଆରୀ ୨୮ ରେ ସରୋଜ ସାମଲଙ୍କ ଅବସର ପରଠାରୁ ଏହି ପଦବୀ ଖାଲି ପଡ଼ିଥିଲା। ଅନୁଜ କୁମାର ଦାସ ପଟ୍ଟନାୟକ ଗତ ମାସରୁ ପିଏମ ପୋଷଣ ଏବଂ ଏମଏମ ପୋଷଣ ପାଇଁ ରାଜ୍ୟ ନୋଡାଲ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ସେ ଇସ୍ପାତ ଏବଂ ଖଣି ଓ ମହିଳା-ଶିଶୁ ବିକାଶ ବିଭାଗରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରିଥିଲେ।

ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଓଏଏସ୍ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ପିଏମ ପୋଷଣ କାର୍ଯ୍ୟକ୍ରମର ରାଜ୍ୟ ନୋଡାଲ ଅଫିସର ଭାବେ ବଦଳି ହୋଇଛି। ଓୟୁଏଟିର ପୂର୍ବତନ ରେଜିଷ୍ଟ୍ରାର ବରିଷ୍ଠ ଓଏଏସ୍ ଲୋପାମୁଦ୍ରା ମହାନ୍ତିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଖଲ୍ଲିକୋଟ ମହାବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ଶାନ୍ତିସୁଧା ପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ, ମାନେଶ୍ୱରର ପୂର୍ବତନ ତହସିଲଦାର ଜ୍ୟେସ୍ନାରାଣୀ ସାହୁଙ୍କୁ ସୁନ୍ଦରଗଡ଼ ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଙ୍କୁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅଧିଗ୍ରହଣ ଅଧିକାରୀ ଏବଂ ସୁବର୍ଣ୍ଣପୁର ଅତିରିକ୍ତ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । କଟକ ସ୍ଥିତ ବୋର୍ଡ ଅଫ ରେଭନ୍ୟୁର ଉପସଚିବ ଏଲିଜା ମିଶ୍ରଙ୍କୁ କଟକ ଶିଶୁଭବନର ପ୍ରଶାସନିକ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଟାଙ୍ଗୀର ପୂର୍ବତନ ତହସିଲଦାର ଓଏଏସ୍ ମିତାଲି ପାତ୍ରଙ୍କୁବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅଫିସର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଗୁଣୁପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓଏଏସ୍ ଅଜୟ କୁମାର ପ୍ରଧାନଙ୍କ ବଦଳି ବାତିଲ କରି ତାଙ୍କୁ ସେଠାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଅନ୍ୟଏକ ନିର୍ଦ୍ଦେଶକ୍ରମେ ବୌଦ୍ଧ ବିଡିଓ ଓଏଏସ୍ ଯୁଧିଷ୍ଠିର ମେହେରଙ୍କୁ ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ପ୍ରତିଷ୍ଠାନର ରେଜିଷ୍ଟ୍ରାର ଭାବେ ବଦଳି ହୋଇଛି । ଓଡ଼ିଶା ରିଏଲଇଷ୍ଟେଟ୍ ନିୟନ୍ତ୍ରକ ପ୍ରାଧିକରଣ(ରେରା)ର ସଚିବ ତଥା ବରିଷ୍ଠ ଓଏଏସ୍ ଶ୍ରାବଣୀ ପଟ୍ଟନାୟକଙ୍କୁ ରାଜ୍ୟ ଏମଏସଏମଇ ବିଭାଗର ଅତିରିକ୍ତ ସଚିବ ଏବଂ ସେଠାରେ ଥିବା ବରିଷ୍ଠ ଓଏଏସ୍ ମାନସୀ ମାନ୍ଧତାଙ୍କୁ ରେରା ସଚିବ ଭାବେ ବଦଳି କରାଯାଇଛି ।