ପୁରୀ : କାର୍ତ୍ତିକ ମାସରେ ଧର୍ମ କରିବା ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ହବିଷ୍ୟାଳୀଙ୍କ ଅସନ୍ତୋଷକୁ ନେଇ ସାରା ରାଜ୍ୟରେ ଚହଳ। ଲୋକଙ୍କ ଆକ୍ରୋଶକୁ ଦେଖି ରାଜ୍ୟ ସରକାର ନୁଆଇଁଲେ ମୁଣ୍ଡ । ଘଟଣାସ୍ଥଳ ପୁରୀ ଜିଲ୍ଲାପାଳ ପହଞ୍ଚି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଅନ୍ୟପଟେ ସରକାରଙ୍କ ଆଭିମୁଖ୍ୟକୁ ନେଇ ବର୍ଷିଛି ବିରୋଧୀ ବିଜେଡି । ରାଜ୍ୟ ସରକାର ବିନାଶ ଭିତରେ ଗୋଡ ପକାଇଛନ୍ତି ବୋଲି କହିଛି ବିଜେଡି । କିଛି ବିଜେପି ନେତା ମଧ୍ୟ ଏହି ଘଟଣାକୁ ନେଇ ଅସନ୍ତୁଷ୍ଟ।
ଗୁରୁବାର ଦିନ ପରେ ରାତିସାରା ହବିଷ୍ୟାଳି ହନ୍ତସନ୍ତ ହେଉଛନ୍ତି । ଧାରଣାରେ ବସି ଖୋଲା ଆକାଶ ତଳେ ରାତି ଅତିବାହିତ କରିଛନ୍ତି ଭକ୍ତ । ପ୍ରତିବାଦ ସହ କାକୁତିମିନତି ହୋଇ ଶୀତ କାକରରେ ହବିଷ୍ୟାଳି ନିଜ ଜିଦ ରେ ଅଟଳ ରହି ପୁରୀଧାମରୁ ହଟିନଥିଲେ । ନିଜେ ଜିଲ୍ଲାପାଳ ବୃନ୍ଦାବତୀ ନିବାସକୁ ଆସି ସ୍ଥିତି ସମୀକ୍ଷା କରି ସମସ୍ତଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ରହିବା ପରେ ହବିଷ୍ୟାଳି ଖୁସି ପ୍ରକାଶ କରିଛନ୍ତି । ହେଲେ କ୍ଷୋଭ ଭରା କଣ୍ଠରେ ପଚାରିଛନ୍ତି, ଆରମ୍ଭରୁ ଏହି କାମଟି କରିଥିଲେ କେଡେ ସୁନ୍ଦର ହୋଇଥାନ୍ତା ?
ଅନ୍ୟପକ୍ଷେ ବିଜେପି ସରକାର ମାତ୍ର ୨୫ ଶହ ହବିଷ୍ୟାଳିଙ୍କ ପାଇଁ ବ୍ଯବସ୍ଥା କରି ଅନ୍ୟ ବ୍ରତଧାରୀଙ୍କୁ ପୁରୀରୁ ତଡ଼ି ଦେଉଛନ୍ତି । ବିନାଶ ଭିତରେ ସରକାର ନିଜ ଗୋଡ଼ ପକାଇ ସାରିଲେଣି ବୋଲି କହି ସମାଲୋଚନା କରିଛି ବିଜେଡି । ଏପଟେ ପ୍ରଶାସନ ଚେତିବାରେ କାହିଁକି ଏତେ ବିଳମ୍ବ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ବିଜେପି ନେତା ଜୟନ୍ତ ଷଡ଼ଙ୍ଗୀ ।
ପ୍ରଶ୍ନ ଉଠୁଛି ଏଥର ରାଜ୍ୟ ସରକାର କାହିଁକି ଯୋଜନାରେ ସଂଖ୍ୟା କମାଇ ଦେଲେ ? ହବିଷ୍ୟାଳି ହନ୍ତସନ୍ତ ହେଉଥିବା ବେଳେ କାହିଁକି ପଦକ୍ଷପ ନେବାରେ ବିଳମ୍ବ ? ଆବେଦନ ପାଇଁ ୱେବସାଇଟ କାହିଁକି ଠିକରେ କାମ କରୁ ନଥିଲା ? ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ପାଇଁ କିଏ ଦାୟୀ ? ଏସମସ୍ତ ସମସ୍ୟା ମଧ୍ୟରେ ଆଜିଠୁ ହବିଷ୍ୟାଳି ଆରମ୍ଭ କରିଛନ୍ତି ପବିତ୍ର କାର୍ତ୍ତିକ ବ୍ରତ।