ଗୋପ/ଜୟନ୍ତ କୁମାର ସେଠୀ : ମୂଷାନଦୀର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଏଥିସହ ପୁରୀ ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଚାଲିଥିବା ଚାରିଦିନିଆ ଜନଶୁଣାଣି ଶେଷ ହୋଇଛି । ଦାଣ୍ତିମାଳ ସାହି, କୁମ୍ଭାରପଡା, ମାର୍କଣ୍ତେଶ୍ବର ସାହି-୧, ବଳଗଣ୍ତି, ସମଙ୍ଗ, ନୀଳଚକ୍ର ନଗର, ଅଠରନଳା ବନ୍ଧ ସାହି, ନରେନ୍ଦ୍ର କୋଣ ହରିଜନ ସାହି, ନରେନ୍ଦ୍ର କୋଣ ମଙ୍ଗଳା ସାହି, ଖଣ୍ତିଆବନ୍ଧ ଓ ଖରାଖାଇ ନିମନ୍ତେ ଆଜି ପୂର୍ବାହ୍ନ ସମୟରେ ଜଗନ୍ନାଥ ବଲ୍ଲଭ କମ୍ଲେକ୍ସ ପରିସର ଏବଂ ଅପରାହ୍ନରେ ଆଳିକିଆ, ରେଣ୍ତୁଅ, ନୂଆପାଟଣା, ସମଙ୍ଗରା, ବାଲୁଖଣ୍ଡ ଓ ଭାରତୀପୁର ନିମନ୍ତେ ବାଲିଗୁଆଳି ପଞ୍ଚାୟତ କାର୍ୟ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜନଶୁଣାଣିର ଅନୁଷ୍ଠିତ ହୋଇଛି । ଉକ୍ତ ପ୍ରକଳ୍ପ ନିମନ୍ତେ ପୁରୀ ତହସିଲର ୧୧ଟି ମୌଜାର ମୋଟ ୬୨ ଏକର ୭୪୨ ଡିସିମିଲି ଜମି ଅଧିଗ୍ରହଣ କରାଯିବ । ସେଥିମଧ୍ୟରୁ ବେସରକାରୀ ଭାବେ ୩୬.୯୮୪ ଏକର ଜମି ଥିବାବେଳେ ୨୫.୭୫୮ ଏକର ସରକାରୀ ଜମି ରହିଛି । ଜଗନ୍ନାଥ ବଲ୍ଲଭ ପରିସରରେ ମୋଟ ୨୫ ଏକର ୬୯୯ ଡିସିମିଲି ଜମି ନିମନ୍ତେ ଜନଶୁଣାଣି ହୋଇଥିବା ବେଳେ ସେଥିମଧ୍ୟରୁ ୨୧ ଏକର ୮୩୭ ଡିସିମିଲି ସରକାରୀ ଓ ୩ ଏକର ୮୬୨ ଡିସିମିଲି ବେସରକାରୀ ଜମି ରହିଛି । ସେହିଭଳି ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ୩୭ ଏକର ୪୩ ଡିସିମିଲି ଜମି ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ସେଥିମଧ୍ୟରୁ ୭ ଏକର ୨୧୭ ଡିସିମିଲି ସରକାରୀ ଓ ୨୯ ଏକର ୮୨୬ ଡିସିମିଲି ବେସରକାରୀ ଜମି ରହିଛି । ପୂର୍ବାହ୍ନରେ ଅନୁଷ୍ଠିତ ଜନଶୁଣାଣିରେ ୫୧୩ ଜଣ ଉପସ୍ଥିତ ଥିବାବେଳେ ଅପରାହ୍ନରେ ୩୫୦ ଜଣ ଯୋଗ ଦେଇଥିଲେ । ପୂର୍ବରୁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ଜଗତସିଂହପୁରସ୍ଥିତ ଗ୍ରୀନ ଇଣ୍ତିଆ ସଂସ୍ଥା ଉକ୍ତ ପ୍ରକଳ୍ପ ଦ୍ବାରା ସାମାଜିକ ପ୍ରଭାବ ଆକଳନ କରାଯାଇଛି । ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ । ଏହି ପ୍ରକଳ୍ପ ସଂପୃକ୍ତ ଅଞ୍ଚଳର ବାସିନ୍ଦା ଓ ଜମି ମାଲିକ ମାନେ ବିପୁଳ ସମର୍ଥନ କରିଥିଲେ । ଉପଯୁକ୍ତ କ୍ଷତିପୂରଣ ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ଆଜିର ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,ଅର୍ଜନ ସ୍ବତନ୍ତ୍ର ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ,ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଉପ ପ୍ରଶାସକ ଶ୍ରୀ ସନ୍ତୋଷ ଷତପଥୀ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁନ୍ଦର ମାଧବ ପାଢୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅଜିତ କୁମାର ମହାପାତ୍ର, ଭୂଅର୍ଜନ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଜେନା, ସମଙ୍ଗରା ସରପଞ୍ଚ ଶ୍ରୀମତୀ ଗୋଲାପ ପ୍ରଧାନ, ବୀରହରେକୃଷ୍ଣପୁର ସରପଞ୍ଚ ଶ୍ରୀ ରମାକାନ୍ତ ପଣ୍ତା, ବାଲିଗୁଆଳି ସରପଞ୍ଚ ଶ୍ରୀ ପରେଶ ପ୍ରସାଦ ମଲ୍ଲିକ,ଅଂଶିଦାର ପ୍ରମୁଖ ଉପସ୍ଥିତ ଥିଲେ ।