ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ:”ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରାରେ ଚାଲିଛି ସର୍ବଶିକ୍ଷା ଅଭିଯାନ। ହେଲେ ଏଠି କିନ୍ତୁ ପୁରାପୁରି ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଶିକ୍ଷା ବ୍ୟବସ୍ଥା । ଏଠି ପାଠ ପଢ଼ି ଭବିଷ୍ୟତରେ ଭଲ ମଣିଷ ହେବା ପାଇଁ ପିଲାଙ୍କ ଆଖିରେ ଅସୁମାରୀ ଆଶାର ସମ୍ଭାର । କିନ୍ତୁ ପିଲା ପାଠ ପଢ଼ିବା ପାଇଁ ସ୍କୁଲ ନାହିଁ ତ ଆଉ କେଉଁଠି ପିଲାଙ୍କୁ ପଡ଼ାଇବା ପାଇଁ ଶିକ୍ଷକ ନାହାନ୍ତି । ତ ପୁଣି ଆଉ କେଉଁଠି ପାଞ୍ଚ ପାଞ୍ଚଟି ଶ୍ରେଣୀ ପାଇଁ ଅଛନ୍ତି ମାତ୍ର ଗୋଟିଏ ଶିକ୍ଷକ । ଆଉ ସେହି ସମାନ ଶ୍ରେଣୀ ଗୃହରେ ମଧ୍ୟ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ! ଯେମିତି ଲାଗୁଛି ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ଆଉ ବିଲକୁଲ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ବାଃ ବଡ଼ ଚମତ୍କାର ବ୍ୟବସ୍ଥା ଏଠି କା ଶିକ୍ଷା ବିଭାଗର !
ଏ ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ଅଧିକାରୀଙ୍କ, ଅଧିନସ୍ଥ ବାହାବଳପୁର ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଦେଖନ୍ତୁ ଏହାର ଅବସ୍ଥା ତଳୁ ଠୁଁ ତଳିପା ଏଠି ଖାଲି ଅବ୍ୟବସ୍ଥା ! ଗାଁ ରାସ୍ତା କଡ଼ରେ ଥିବା ଏହି ଆଜବ୍ରେଟସ୍ ଘର ଉପରକୁ ଗୋଟିଏ ଥର ନଜର ପକାନ୍ତୁ ତ ପ୍ରଥମ ରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ୬୫ ଜଣ ଛାତ୍ରଛାତ୍ରୀ ଏହି ଗୋଟିଏ ଘର ଭିତରେ ଜାକିଜୁକି ହୋଇ ପାଠ ପଢ଼ୁଛନ୍ତି।
ତେବେ ଖାଲି ସେତିକି ନୁହେଁ ଏହି ଘରେ ସ୍କୁଲ ସାଙ୍ଗକୁ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର ! ଯେଉଁଥିରେ ପ୍ରାୟ ୫୦ ଜଣ କୋମଳମତୀ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ! ଗୋଟିଏ ପଟେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ କେବଳ ଜଣେ ଶିକ୍ଷୟିତ୍ରୀ ଏହି ପିଲାଙ୍କ ପାଠ ପଢ଼ାର ଦାୟିତ୍ୱ ନେଉଥିବା ବେଳେ, ଅନ୍ୟପଟେ ସେହି ଘରେ ଅଙ୍ଗନବାଡ଼ି ଦିଦି ଛୋଟ ଛୋଟ କୋମଳମତୀ ଛାତ୍ରଛାତ୍ରୀ ମାନଙ୍କୁ ପାଠ,ଗୀତ ଓ ନାଚ ମାଧ୍ୟମରେ ପାଠ ପଢ଼ାଉଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ଆଉ ବଢିବେ ଆପଣ ମାନେ ଚିନ୍ତା କରି ପାରୁଥିବେ।
ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଗୁଡିକର ଉନ୍ନତିକରଣ ସାଙ୍ଗକୁ ନା ନା ଯୋଜନା ସାମ୍ନାକୁ ଆଣୁଛନ୍ତି । କିନ୍ତୁ ରାଜ୍ୟର ବଡ଼ ସହର ଗୁଡିକର ସ୍କୁଲ ଗୁଡିକ ଅତ୍ୟାଧୁନିକ କ୍ଲାସ ରୁମ, ଲ୍ୟାବ, ପରିମଳ ବ୍ୟବସ୍ଥା ଆଦିରେ ଚମକୁ ଥିବା ବେଳେ, ଗାଁ ସ୍କୁଲର ପିଲା ମାନେ କିନ୍ତୁ ଅବ୍ୟବସ୍ଥା ଭିତରେ ଘାଣ୍ଟି ହେଉଛନ୍ତି । କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ ‘ ଏଠି କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ନାଁ ଅଛି ଉତ୍ତମ ଶିକ୍ଷା ବ୍ୟବସ୍ଥା ନାଁ ଅଛି ପରିମଳ ବ୍ୟବସ୍ଥା । ଖାଲି ସ୍କୁଲ ନାଁ ରେ ଅଛି ଗୋଟେ ଛୋଟ ଆଜବେଷ୍ଟ ଘର । ଯେଉଁଠି ଏତେ ଅବ୍ୟବସ୍ଥା ରହିଛି ସେଠି ପିଲା କିପରି ପାଠ ପଢୁଥିବେ ଆପଣ ଭଲ ଭାବରେ ଜାଣି ପାରୁଥିବେ ??
ନାହିଁ ନାହିଁ ରେ ଚାଲିଛି ବାହାବଳପୁର ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଅବ୍ୟବସ୍ଥାର ସବୁ ସୀମା ଟପି ଯାଇଛି ଏହି ପ୍ରାଥମିକ ବିଦ୍ୟାଳୟ। ଦେଖନ୍ତୁ ଏହି ଦୃଶ୍ୟ କୁ। ଯେଉଁଠି ଛୋଟ ଛୋଟ ଛାତ୍ରଛାତ୍ରୀ ବସି ପାଠ ପଢୁଛନ୍ତି ତାଙ୍କ ପାଖରେ ଥୁଆ ହୋଇଛି ଗ୍ୟାସ୍ ସିଲିଣ୍ଡର୍ ! କେତେ ବେଳେ କେଉଁ ଅଘଟଣ ଘଟିବ ସେକଥା କିଏ କହି ପାରିବ ? ଖାଲି ସେତିକି ନୁହେଁ ଖୋଲା ମେଲାରେ ଚାଲିଛି ଅଙ୍ଗନବାଡ଼ି ଓ ସ୍କୁଲ ପିଲା ମାନଙ୍କ ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି। ସ୍କୁଲରେ ପିଲାଙ୍କ ପାଇଁ ଆବଶକୀୟ କିଛି ବି ବ୍ୟବସ୍ଥା ଏଠାରେ ନାହିଁ ।
ଗୋଟିଏ ଘରେ ଅଙ୍ଗନବାଡ଼ି କେନ୍ଦ୍ର ର ଛାତ୍ରଛାତ୍ରୀ ୫୦ ଜଣ ଥିବାବେଳେ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ୬୫ ଜଣ। ମୋଟ ୧୧୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଏଠି ! ସମସ୍ତେ ପୁଣି ଗୋଟାଏ ଘର ଭିତରେ ନେଉଛନ୍ତି ଶିକ୍ଷାଦାନ। ସବୁଠୁ ବଡ଼ କଥା ହେଲା ଏଠାରେ ନାହିଁ କୈାଣସି ଲାଟିନ୍ ଯାହା ଫଳରେ ଛାତ୍ରଛାତ୍ରୀମାନଙ୍କୁ ଘରକୁ ଯିବାକୁ ପଡୁଛି। ଅଭିଭାବକମାନେ ମାଳ ମାଳ ଅଭିଯୋଗ ବିଦ୍ୟାଳୟ ର ଉନ୍ନତି ପାଇଁ ଶିକ୍ଷା ବିଭାଗର ତଳୁ ତାଳିପା ଦେଇଥିଲେ ମଧ୍ୟ ଫଳ ଘର ଶୂନ ! ଶିକ୍ଷା କ୍ଷେତ୍ରର ଉନ୍ନତି କରଣ ନେଇ ସରକାରଙ୍କ ଏତେ ସବୁ ଯୋଜନା ପରେ, ଦେଖିବାକୁ ବାକି ରହିଲା କେବେ ବଦଳୁଛି ଏହି ବିଦ୍ୟାଳୟର ରୂପରେଖ ଆଉ କେବେ ବଦଳୁଛି ଛାତ୍ରଛାତ୍ରୀଙ୍କ ଭାଗ୍ୟ ?