ଭୁବନେଶ୍ୱର: ଚାରିଦିଦ ଓଡିଶାରେ ରହଣି ପରେ ଗତକାଲି ଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି ଦ୍ରୌନଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକାମ୍ରର ଆରାଧ୍ୟ ଦେବ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଦିଲ୍ଲୀ ପଠାଯାଇଛି। ଏନେଇ ୪ଦିନ ପୂର୍ବରୁ ଜିଲାପ୍ରଶାସନ ପକ୍ଷରୁ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କୁ ଅବଢ଼ା ପ୍ରସ୍ତୁତ ଲାଗି ବରାଦ ଦିଆଯାଇଥିଲା। ଅନନ୍ତ ବାସୁଦେବଙ୍କ ପ୍ରଥମ ଧୂପ ବାହାରିବା ପରେ ଶ୍ରୀ ପତି ୧୦ଜଣଙ୍କ ପାଇଁ ଅବଢ଼ା ପ୍ୟାକ୍ କରି ଦିଲ୍ଲୀ ପଠାଇଥିଲେ। ଅବଢ଼ା ପଠାଇବା ପୂର୍ବରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ତାହାର ମାନ ଯାଞ୍ଚ ପାଇଁ କରାଯାଇଥିଲା ନମୂନା ସଂଗ୍ରହ। ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଅନୁମତି ମିଳିବା ପରେ ଅବଢ଼ା ଦିଲ୍ଲୀ ପଠାଯାଇଥିଲା। ରାଷ୍ଟ୍ରପତି ଓଡ଼ିଶା ଆସିଲେ ପ୍ରଭୁ ଅନନ୍ତ ବାସୁଦେବଙ୍କ ଅବଢ଼ା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାପୂର୍ବରୁ ଦୁଇଥର ତାଙ୍କ ଉଦ୍ଦେଶ୍ୟରେ ଅବଢ଼ା ଦିଲ୍ଲୀ ପଠାଯାଇଛି। ବ୍ରାହ୍ମଣ ନିଯୋଗ ସମ୍ପାଦକ ଶ୍ରୀ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅବଢ଼ା ତିଆରି ହୋଇଥାଏ। ରାଷ୍ଟ୍ରପତିଙ୍କ ପ୍ରିୟ ବାସମତି ଚାଉଳରେ ସାଧା ଅନ୍ନ, ମିଠା ଖେଚୁଡି, ଡାଲି, ବେସର, ଶାଗ, ଚଣାବୁଟ, ପୋଟଳ ରସା ଓ ଖଜରା ଖଟା ପ୍ରସ୍ତୁତ କରି ପଠା ଯାଇଥିବା ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦିଲ୍ଲୀ ଫେରିଯାଇଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ତାଙ୍କୁ ବିଦାୟ ଦେଇଥିଲେ।