ପୁରୀ: ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ଶ୍ରୀମନ୍ଦିର ନିକଟରେ ଲାଗିଛି ଶ୍ରଦ୍ଧାଳୁ ଭିଡ । ହଜାର ହଜାର ଶ୍ରଦ୍ଧାଳୁ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି । ଦୀର୍ଘ ୧୫ ଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ । ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ ତିଳତର୍ପଣ କରୁଥିଲେ ଶ୍ରଦ୍ଧାଳୁ । ମାତ୍ର କିଛି ବର୍ଷ ହେବ ପ୍ରଶାସନ ଏହା ଉପରେ ରୋକ ଲଗାଇଛି । ଫଳରେ ଶ୍ରୀମନ୍ଦିର ବାହାରେ ଉତ୍ତର ଦ୍ଵାର ମେଘନାଦ ପାଚେରୀ ଠାରେ ବସି ଶ୍ରଦ୍ଧାଳୁମାନେ ତିଳତର୍ପଣ କରୁଛନ୍ତି । ମାର୍କଣ୍ଡେୟ ପୁଷ୍କରିଣୀ ସମେତ ନରେନ୍ଦ୍ର ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ତିଳତର୍ପଣ କରାଯାଉଛି ।
ଶ୍ରୀମନ୍ଦିର ନିକଟରେ ତିଳତର୍ପଣ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୂଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ । ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁରହିବ। ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ। ଆଶ୍ୱିନ ମାସର ପ୍ରଥମ ପକ୍ଷକୁ “ପିତୃପକ୍ଷ” କୁହାଯାଏ। ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ ହୁଏ। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ।