ହାତୀ ଆକ୍ରମଣରେ ବୃଦ୍ଧ ମୃତ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଳାରେ ଦିନକୁ ଦିନ ବଢି ଚାଲିଛି ହାତୀ ଆତଙ୍କ । ପ୍ରତିଦିନ ଏହି ଅଞ୍ଚଳରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳୁଛି । କେବେ ଧାନ ଫସଲ ଉଜାଡି ଦେଉଛନ୍ତି ତ କେବେ ଲୋକଙ୍କ ଘର ଭାଙ୍ଗି ଦେଉଛନ୍ତି ଏହି ଜଙ୍ଗଲି ହାତୀ । କେବେ କେବେ ଅନେକ ଲୋକ ଏହି ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ମଧ୍ୟ ହରାଉଛନ୍ତି । ଆଜି ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାସଗୋବିନ୍ଦ ରେଞ୍ଜ ଅନ୍ତର୍ଗତ ଭଦୁଆଷୋଳ ଗାଁରେ । ଏହି ଗାଁର ଅର୍ଜୁନ ହାଁସଦା ନିଜ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଦୁଇ ଦିନ ହେଲା ଗୋଟିଏ ମାଈ ହାତୀ ଏବଂ ଗୋଟିଏ ଛୁଆ ହାତୀ ଝାରଖଣ୍ଡ ଦଲମା ଜଙ୍ଗଲରୁ ଖସି ଆସିଥିଲା । ତେବେ ଏହି ଦୁଇ ହାତୀ ପଶ୍ଚିମବଙ୍ଗ ଦେଇ ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବେଶ କରିଥିବା ଜାଣିବା ପରେ ବନ ବିଭାଗ ସତର୍କ ସୂଚନା ଜାରି କରିଛି ।