ହୀରାକୁଦ ବିସ୍ଥାପନ ବାସ୍ତବ ରିପୋର୍ଟ ମାଗିଲା ଏନ୍ଏଚ୍ଆରସି

ନୂଆଦିଲ୍ଲୀ : ହୀରାକୁଦ ଜଳଭଣ୍ଡାର ବିସ୍ଥାପନ ପ୍ରସଙ୍ଗରେ ପ୍ରଭାବିତ ହୋଇଥିବା ବିସ୍ଥାପିତ ମାନଙ୍କ ବାସ୍ତବ ସ୍ଥିିତିର ତଦନ୍ତ କରି ଆଠ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନବିକ ଅଧିକାର ଆୟୋଗ । ଓଡ଼ିଶା ଓ ଛତିଶଗଡ଼ ଠାରୁ ‘ଜାତୀୟ ମାନବ ଅଧିକାର ଆୟୋଗ’(ଏନ୍ଏଚ୍ଆରସି) ଗ୍ରହଣ କରାଯାଇଥିବା କାର୍ୟ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ।
ବିଶ୍ବର ଅନ୍ୟତମ ଉତ୍କୃଷ୍ଟ ଜଳଭଣ୍ଡାର ‘ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ’ ଯୋଗୁଁ ବ୍ୟାପକ ମାତ୍ରାରେ ବିସ୍ଥାପନ କରାଯାଇଥିବା ତଥା ୨୬୦୦୦ ବିସ୍ଥାପିତ ପରିବାରଙ୍କ ଥଇଥାନ ଓ ପୁନର୍ବାସ ପାଇଁ ଦୁଇ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ସୁପ୍ରିମ୍ କୋର୍ଟର ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଦାଖଲ ପିଟିସନ୍ ଆଧାରରେ ‘ଜାତୀୟ ମାନବ ଅଧିକାର ଆୟୋଗ’ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ମାଗିଛନ୍ତି ।
ଉପଯୁକ୍ତ କ୍ଷତିପୁରଣ ତଥା ପୁନର୍ବାସ ବ୍ୟବସ୍ଥା କରା ନ ଯାଇ ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ ପାଇଁ ୨୬୦୦୦ ଲୋକଙ୍କୁ ବିସ୍ଥାପନ କରାଯାଇଥିବା କଥା ପିଟିସନ୍ରେ ତ୍ରିପାଠୀ ଅଭିଯୋଗ କରିଛନ୍ତି। ପ୍ରକଳ୍ପର କାର୍ୟ୍ୟକାରିତା ଯୋଗୁଁ ୧୨୩,୦୦୦ ଏକର ଜମିରେ ଥିବା ପ୍ରାୟ ୩୬୦ଟି ଗାଆଁ ଜଳମଗ୍ନ ହେବା ଯୋଗୁଁ ୧ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା କଥା ମଧ୍ୟ ତ୍ରିପାଠୀ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ବିସ୍ଥାପିତଙ୍କୁ ନ୍ୟାୟ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଦୁଇ ରାଜ୍ୟର ବିସ୍ଥାପିତ ପରିବାର ଏବେ ବି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ସେ କହିଛନ୍ତି।