ଲୋଟାରେ ଫସିଲା ମାଙ୍କଡ଼ ମୁହଁ

ଚନ୍ଦ୍ରପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ପ୍ରାଣୀଜଗତ । ଅତ୍ୟଧିକ ଗୁଳୁଗୁଳି ହେତୁ ଜନବସତିକୁ ମାଡିଆସୁଛନ୍ତି ଜଙ୍ଗଲି ଜନ୍ତୁ । କଉଠି ଟୋପେ ପାଣି ପାଇଲେ କିଛି ନ ଭାବି ଚାଲିଯାଉଛନ୍ତି ପାଣି ପାଖକୁ । ବିଶେଷ କରି ମାଙ୍କଡମାନେ ପହ୍ଲ ପହ୍ଲ ହୋଇ ଗାଁ ରାସ୍ତାକୁ ଧାଇଁ ଆସୁଥିବାର ନଜର ରହିଛି । ଏ ପରି ପରିସ୍ଥିରେ ମହାରାଷ୍ଟ୍ର ଚନ୍ଦ୍ରପୁରର ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ପାଣି ପାଇଁ ଡହଳ ବିକଳ ହୋଇ ମାଙ୍କଡ ଛୁଆ ପାଣି ପିଇବାକୁ ଯାଇ ପାଣି ଥିବା ଏକ ଲୋଟାଭିତରେ ମୁହଁ ପୁରାଇଦେଲା । କିନ୍ତୁ ପାଣି ପିଉପିଉ ଲୋଟ ଭିତରେ ଫସିଗଲା ମାଙ୍କଡ ଛୁଆଟିର ମୁହଁ । ବହୁ ଚେଷ୍ଟା ପରେ ବି ଲୋଟ ଭିତରୁ ବାହାରିପାରି ନ ଥିଲା ମୁହଁ ।

କୁନି ମାଙ୍କଡର କଷ୍ଟକୁ ଦେଖି ପାଖକୁ ଚାଲିଆସିଥିଲେ ପୁରା ମାଙ୍କଡ ପହ୍ଲ । ସମସ୍ତେ ମିଶି ପିଲା ମାଙ୍କଡ ମୁହଁରୁ ଲୋଟା କାଢିବାକୁ ଚେଷ୍ଟା କରିଥିଲେ । ହେଲେ କିଛି ଲାଭ ହୋଇନଥିଲା । ଅସହାୟ ମା’ ମାଙ୍କଡ ନିଜ ଛୁଆକୁ ପେଟରେ ଜାକି ଘଣ୍ଟା ଘଣ୍ଟା ବୁଲିଥିଲା । ସତେ ଯେପରି ସମସ୍ତଙ୍କୁ ତା’ ପିଲାକୁ ବଞ୍ଚାଇବାକୁ ଗୁହାରୀ କରୁଥିଲା । ଏହି ଘଟଣା ଟି ଉପସ୍ଥିତ ଥିବା ଲୋକଙ୍କୁ ବ୍ୟାଥିବ୍ୟସ୍ତ କରାଇଥିଲା । ପରେ ଲୋକେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଫୋନ କରି ଜଣାଇବାରୁ ବନ ବିଭାଗର ପୁରା ଟିମ୍ ଆସି ପହଞ୍ଚିଥିଲା । ଅଧିକ ସମୟ ଧରି ଲୋଟା ଭିତରେ ଫସି ଯାଇଥିବାରୁ ମାଙ୍କଡଟି ଅଣନିଶ୍ୱାସୀ ହୋଇ କଷ୍ଟ ପାଉଥିଲା । ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ତାକୁ ବଞ୍ଚାଇବା ଏତେ ସହଜ ନ ଥିଲା କାରଣ ତା ପାଖରେ ଅନ୍ୟ ମାଙ୍କଡ଼ ଜଗି ବସିଥିଲେ । ପ୍ରଥମେ ସେମାନଙ୍କୁ ହଟାଇବା ପାଇଁ ବିଶେଷ ରଣନୀତି ଅପଣାଇଥିଲା ବନବିଭାଗ । ଲାଠି ଧରି ମାଙ୍କଡଙ୍କୁ ଘଉଡାଇବା ସହ ଏକ ପଞ୍ଜୁରୀ ବସାଯାଇଥିଲା । ସେହି ପଞ୍ଜୁରୀରେ ଖାଦ୍ୟା ରଖାଯାଇଥିଲା । ବହୁ ସମୟ ପରେ ଛୁଆ ମାଙ୍କଡକୁ ଆୟତ୍ତ କରାଯାଇ କଟରରେ ଅତି ସତର୍କତାର ସହ ଲୋଟାକୁ କଟାଯାଇ ତାର ଜୀବନ ବଞ୍ଚାଇବାକୁ ସଫଳ ହୋଇଥିଲା ବନ ବିଭାଗ ।