ଭୁବନେଶ୍ଵର: କୋର୍ଟକୁ ଆସିଥିବା ମେଲ୍ ମିଥ୍ୟା ଓ ହୋକ୍ସ ମେଲ୍ କହିଲେ ଆଇନ ମନ୍ତ୍ରୀ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇ ସାରିଛନ୍ତି, ଚିହ୍ନଟ କରାଯିବ । ଡିଜିପି ଓ ଅନ୍ୟାନ୍ୟ ସ୍କ୍ବାଡ୍ ଯାଞ୍ଚ ପରେ କୋର୍ଟରେ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଗୁରୁବାର ସକାଳୁ ହାଇକୋର୍ଟରେ ପୂର୍ବ ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଆଇନୀଜୀବୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୧୨ଟା ସମୟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ପ୍ରଚାର ହୋଇଥିଲା। ଏହି ଇମେଲ୍ ରେ ବୋମା ଧମକ ଦିଆଯାଇଥିବା ଜଣାପଡ଼ିଥିଲା।

ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ରାଜ୍ୟର ୩ଟି କୋର୍ଟ କଟକ ଜିଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ଦିଆଯାଇଥିଲା । ଏକ ବେନାମୀ ଇ-ମେଲ୍ ଜରିଆରେ ଧମକ ଆସିବା ପରେ ପୁଲିସ ଗୁରୁତର ସହ ନେଇ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲା । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୁରା କୋର୍ଟ ପରିସର ଖାଲି ହୋଇଯାଇଥିଲା। କୋର୍ଟ ପରିସରରେ ଖାନତଲାସୀ କରାଯାଇଥିଲା। ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ କୋର୍ଟ ପରିସରରେ ତନାଘନା କରିଥିଲେ। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ କରାଯାଇଥିଲା। ହେଲେ କୋର୍ଟ ପରିସରରୁ କୌଣସି ବିସ୍ଫୋରକ ମିଳିନଥିଲା ।