ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରାଯାଇଛି। ଭୋଟ ବ୍ୟାଙ୍କ ପାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି। ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିନି। ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି। କେନ୍ଦ୍ରୀୟ ଟିମ୍ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି। ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି, ହେଲେ କାର୍ୟ୍ୟାନୁଷ୍ଠାନ ହୋଇନି। ୧୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ।
ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧି ମୂର୍ତ୍ତି ତଳେ ଧାରଣାରତ ବିଜେପି ସଦସ୍ୟ ମାନଙ୍କୁ ମନାଇବା ପାଇଁ ସରକାରୀ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଭାଗ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଜେପି ପକ୍ଷରୁ ସିଧାସଳଖ ନା ବୋଲି ଶୁଣାଇ ଦିଆଯାଇଥିଲା। କହିବାକୁ ସୁଯୋଗ ଦେଲେ ଯାଇ ଅଂଶଗ୍ରହଣ କରିବୁ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ଶେଷରେ ମନାଇବାକୁ ଆସି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଫଳ ହୋଇ ଫେରିଛନ୍ତି।