ମାଲକାନଗିରି: ଏହି ସ୍ୱାର୍ଥପର ଦୁନିଆରେ ଏବେ ବି ବଞ୍ଚି ରହିଛି ମଣିଷ ପଣିଆ । ପରକୁ ବି ଆପଣାର କରି ବଢାଇଥାନ୍ତି ସାହାଯ୍ୟର ହାତ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ମାଲକାନଗିରି ଡିଭିଏଫ ଯବାନ ଙ୍କ କଥା । ଏହି ଯବାନ ଜଣେ ବୃଦ୍ଧଙ୍କୁ ବଞ୍ଚାଇ ବେଶ ଆଦର ସାଉଁଟିଛନ୍ତି । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଂଚଳରେ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହେବାର ଥିଲା।ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା।ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ ।
ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରିପଡିଥିଲେ।ତେବେ ଯବାନଙ୍କ ପାଖରେ ଗାଡି ନଥିଲା।ପ୍ରାୟ ଦୁଇ କିଲୋମିଟର ଦୁରରେ ସେମାନଙ୍କର ଗାଡି ଅଟକି ରହିଥିଲା।ତେଣୁ ବୃଦ୍ଧଙ୍କୁ ଏକ ଖଟିଆରେ ବୋହି କରି ନେଇ ଗାଡି ପର୍ୟ୍ୟନ୍ତ ପହଞ୍ଚାଇଥିଲେ।ସେଠାରୁ ବୃଦ୍ଧଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସାରେ ସହଯୋଗ କରିଥିଲେ ।