ବସ୍ତା / ଅଜିତ କୁମାର ସାହୁ : ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିଲେ ସ୍ୱାସ୍ଥ୍ୟ ଅଧିକାରୀ । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ନୂତନ ସ୍ଵାସ୍ଥ୍ୟ କେନ୍ଦ୍ରକୁ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଚାନକ ଗସ୍ତ।
ସୂଚନା ମୁତାବକ ପାଉଁଶକୁଲି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କରିବା ଏବଂ ରୋଗୀଙ୍କ ପାଇଁ ୨୦ ଶଯ୍ୟା, ୨୪ ଘଣ୍ଟିଆ ସ୍ଵାସ୍ଥ୍ୟ ସେବା ଯୋଗାଇବା, ଆବଶ୍ୟକ ଥିବା ସମସ୍ତ ପଦବୀ ପୂରଣ, ଅନୁନ୍ୟ ଦୁଇ ଜଣ ଡାକ୍ତର ନିଯୁକ୍ତି , ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ଯୋଗାଇଦେବା ପାଇଁ ଗତ ଜୁନ ୨୩ ତାରିଖରେ ଫାଇଭ୍ ଟି ସଚିଵ ଭିକେ ପାଣ୍ଡିଆନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ, ଜୁଲାଇ ୧୦ ତାରିଖ ସୋମବାର ବସ୍ତା ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ୍ଙ୍କ ଅଭିଯୋଗ ଶୁଣାଣିରେ ବୁଦ୍ଧିଜୀବୀ, ସମାଜସେବୀ ଓ ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ବିଭାଗ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ଫାଇଭଟି ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପରେଶ୍ ଚନ୍ଦ୍ର ନନ୍ଦୀ, ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ଦେଵବ୍ରତ ଜେନା, ଜାତୀୟ ସ୍ୱାସ୍ଥ୍ୟ ମିଶନର ସହକାରୀ ଯନ୍ତ୍ରୀ ମନୋରଞ୍ଜନ ବେହେରା, ବସ୍ତା ବିପିଏମ ଅରବିନ୍ଦ ଦିଣ୍ଡା ପାଉଁଶକୁଲି ନୂତନ ପ୍ରାଥମିକ୍ ସ୍ଵାସ୍ଥ୍ୟ କେନ୍ଦ୍ରରେ ଅଚାନକ ପହଞ୍ଚି ଭାରପ୍ରାପ୍ତ ଡାକ୍ତର ମନୋଜ କୁମାର ସାହୁ, ଆୟୁଷ ଡାକ୍ତର ଆଶିଷ କୁମାର ବିଶ୍ଵାଳଙ୍କ ଉପସ୍ଥିତିରେ ମେଡିକାଲ ପରିସର ପରିଦର୍ଶନ କରିବା ସହିତ , ଅଭିଯୋଗ ହୋଇଥିବା ବିଭିନ୍ନ ସମସ୍ୟା ଓ ଆବଶ୍ୟକ ଥିବା ଭିତ୍ତିଭୂମି ବାବଦରେ ଅଭିଯୋଗ କାରୀ, ବୁଦ୍ଧିଜୀବୀ , ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ। ଏହି ସମୟରେ ମିନତୀ ମହାନ୍ତି, ଗିରିଜା ଶଙ୍କର ମହାନ୍ତି, ଅଜୟ କୁମାର ସାହୁ, ସମୀର କୁମାର ସାହୁ, ବୃନ୍ଦାବନ ପଣ୍ଡା, ସମରେନ୍ଦ୍ର ଜେନା, ଜଗନ୍ନାଥ୍ ଜେନା, ଗୋବିନ୍ଦ ବାରିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ।