(ହିଂଜିଳି / ରଜନୀ କାନ୍ତ ପାତ୍ର) : ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତ ଦେହ ମାଟି ତଳୁ ବାହାର କରାଯିବା ପରେ ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ବି. ନୂଆପଲ୍ଲୀ ଗ୍ରାମରେ । ଏହି ଗ୍ରାମର ୬୦-ବର୍ଷୀୟ ଯୁଧିଷ୍ଠିର ପ୍ରଧାନ ଗତ ରବିବାର ସକାଳଠାରୁ ନିଖୋଜ ଥିଲେ । ଏବେ ତାଙ୍କ ମୃତ ଦେହ ମିଳିଛି । ରବିବାର ସକାଳେ ପ୍ରଧାନ ନିଜ ଘରୁ ବାହାରି କିଛି କାଗଜପତ୍ରର ଜେରେକ୍ସ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନ ମିଳିବାରୁ ସେ ନିଖୋଜ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଗତ କାଲି ସନ୍ଧ୍ୟା ସମୟରେ ଗାଁ ମୁଣ୍ଡରେ ରହିଥିବା ଜଙ୍ଗଲରେ ତାଙ୍କ ସାଇକେଲ୍, ପୋଷାକ ଓ କିଛି କାଗଜପତ୍ର ପଡ଼ିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀମାନେ । ତା’ ପରେ ଜଙ୍ଗଲ ଭତିରକୁ ସ୍ଥାନୀୟ ଲୋକେ ଯିବା ପରେ ଏକ ମଣିଷ ଶରୀରର କିଛି ଅଂଶ ଏକ ସ୍ଥାନରେ ପଡ଼ିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଗତ କାଲି ରାତିରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଆଜି ସକାଳେ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମର ଉପସ୍ଥିତିରେ ମାଟି ଖୋଳା ଯାଇଥିଲା । ମାଟି ଖୋଳିବା ପରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା । ପରିବାର ଲୋକେ ଉକ୍ତ ମୃତଦେହକୁ ଯୁଧିଷ୍ଠିର ପ୍ରଧାନଙ୍କର ବୋଲି ଚିହ୍ନଟ କରିଥିଲେ ।